ଭୁବନେଶ୍ୱର (ଆମ ଟିଭି): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଆଜିକୁ ୪୦ ଦିନରୁ ଅଧିକ ବିତିଲାଣି କିନ୍ତୁ ଏହା ଭିତରେ ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା, ଏହି ପ୍ରଶ୍ନର ଉତର କ୍ରାଇମବ୍ରାଂଚ ଦେଇପାରୁନି । କ୍ରାଇମବ୍ରାଂଚର ଏଭଳି ନୀରବତା ସନ୍ଦେହକୁ ବଢ଼ାଇବାରେ ଲାଗିଛି । ଆଉ ହତ୍ୟାକାଣ୍ଡର କାରଣକୁ ନେଇ ନୂଆ ନୂଆ ଥିଓରୀ ଚର୍ଚ୍ଚା ହେଉଛି । ଆଜି ସେମିତି ଏକ ନୂଆ ଦିଗକୁ ଇଂଗତି କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ନାଁ ନେଇ ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାର ଓ କ୍ରାଇମବ୍ରାଂଚର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛର ରହସ୍ୟ କଣ? ଏହି ପ୍ରଶ୍ନ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଉଛି । କିନ୍ତୁ ହତ୍ୟାର ୪୦ଦିନ ପରେ କ୍ରାଇମବ୍ରାଂଚ କାରଣ ସମ୍ପର୍କରେ ସ୍ପଷ୍ଟ ନକରିବା, ଏକ ବଡ ଧରଣର ସନ୍ଦେହ ସୃଷ୍ଟି କରିଛି । ସେହି ସନ୍ଦେହରେ ଘିଅ ଢ଼ାଳିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ତଦନ୍ତକୁ ନେଇ ପ୍ରଶ୍ନ ଉଠାଇବା ସହ ସାଂଘାତିକ ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡ ଘଟଣାକୁ ଚପାଇ ଦେବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ କରିଛନ୍ତି ବିଜୟ । ଦୁଇ ଜଣ ଅଣ ଓଡ଼ିଆ ଅଫିସର ତଦନ୍ତକୁ ବାଟବଣା କରୁଛନ୍ତି ବୋଲି ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି । କହିଛନ୍ତି, ସେମାନେ ଷଡଯନ୍ତ୍ରରେ ସମ୍ପୃକ୍ତ ଅଛନ୍ତି । ଏପରିକି ଘଟଣାକୁ ଚାପି ଦେବା ପାଇଁ ଝାରସୁଗୁଡା ଅଂଚଳର ଜିଲ୍ଲାପରିଷଦ ମାନଙ୍କୁ ମିଡିଆ ଆଗରେ କିଛି ନକହିବାକୁ ଧମକ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।