ଭୁବନେଶ୍ୱର (ଆମ ଟିଭି): ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନବ ଦାସଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶ୍ରୀ ଦାସଙ୍କର ଚିକିତ୍ସା ହୋଇଥିଲା ନା ନାହିଁ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯିବା ସମୟରେ ଲେଖାଯାଇଥିବା ଓପିଡି ଟିକଟ୍, ଡାକ୍ତରଙ୍କ ଦ୍ବାରା ପ୍ରସ୍ତୁତ ଇଞ୍ଜୁରି ରିପୋର୍ଟ ଓ କ୍ରାଇମ୍ବ୍ରାଞ୍ଚର ଚିଠି ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି ।
ଓପିଡି ଟିକଟ୍ରେ ନବ ଦାସଙ୍କୁ କେବଳ ଉଚ୍ଚତର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସମ୍ପର୍କରେ ଉଲ୍ଲେଖ ରହିଥିବା ବେଳେ ଘଟଣା ସମୟରେ ତାଙ୍କର ରକ୍ତଚାପ, ହୃଦ୍ସ୍ପନ୍ଦନ କେତେ ଥିଲା, ଡାକ୍ତର ଆଉ କଣ ଦେଖିଲେ, ଏଠାରେ ତାଙ୍କର କ’ଣ ଚିକିତ୍ସା କରାଗଲା ସେ ସମ୍ପର୍କରେ ଗୋଟିଏ ପଦ ବି ଉଲ୍ଲେଖ ନାହିଁ। ଘଟଣା ସମ୍ପର୍କରେ ଇଞ୍ଜୁରି ରିପୋର୍ଟ ଲେଖିଥିବା ଡା. ଡୋଳାମଣି ତାଣ୍ଡିଙ୍କୁ ପଚାରିବାରେ କେବଳ ସିଡିଏମ୍ଓ ହିଁ ଏନେଇ କହିପାରିବେ ବୋଲି ଉତ୍ତର ରଖିଥିଲେ।