ଭୁବନେଶ୍ୱର(ଆମ ଟିଭି): ଓଡ଼ିଆ ପୁଅ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରେଳମନ୍ତ୍ରୀ ହେବା ପରେ ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି । ଏବେ ପୁଣି ରାଜ୍ୟବାସୀଙ୍କ ପାଇଁ ଆସିଛି ଏବ ନୂଆ ଖବର । ବୋଲଗଡ଼ ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହେବାକୁ ଯାଉଛି। ଏହି ଷ୍ଟେସନର ନାମ ବଦଳି ମାଣିକଗୋଡ଼ା ଷ୍ଟେସନ ଭାବେ ନାମିତ ହେବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଏନେଇ ରେଳ ମନ୍ତ୍ରଣାଳୟ ତରଫରୁ ଗୃହ ବିଭାଗକୁ ଅନାପତ୍ତି ପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।
ତେବେ ଖୁବଶୀଘ୍ର ବୋଲଗଡ଼ ରୋଡ ଷ୍ଟେସନର ନାମ ବଦଳି ମାଣିକଗୋଡ଼ା ଷ୍ଟେସନ ହେବ । ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତାଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ବୋଲଗଡ଼ର ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଷ୍ଟେସନ ନାମ ପରିବର୍ତ୍ତନ କରିବା ପାଇଁ ଅପରାଜିତା ରେଳ ମନ୍ତ୍ରୀ ଅଶ୍ୱିନୀଙ୍କୁ ଚିଠି ଲେଖିଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଅନେକ ସମୟରେ ଜନସାଧାରଣଙ୍କ ହିତସାଧନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥାନ୍ତି । ଗତ ଜୁନ୍ ମାସରେ ସେ କୋଣାର୍କ ଗସ୍ତ କରି ରେଳ ଲାଇନ୍ ପାଇଁ ଖୁବଶୀଘ୍ର ସର୍ଭେ କାର୍ୟ୍ୟ ଆରମ୍ଭ ହେବ ବୋଲି କହିଥିଲେ ।