ହାତୀ ଶୂନ୍ୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ
ଭୁବନେଶ୍ବର : ଦିନ ଥିଲା, ନନ୍ଦନକାନନରେ ୧୨ହାତୀ ଥିଲେ। ଦେଶ ବିଦେଶର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ରାଜ୍ୟର ଏହି ପ୍ରାଣୀ ଉଦ୍ୟାନ। ହାତୀ ସଫାରିରେ ବୁଲିବା ଲାଗି କାହିଁ କେତେ ଦୂରରୁ ପର୍ଯ୍ୟଟକ ଧାଇଁ ଆସୁଥିଲେ। ହାତୀଙ୍କ ପାଖକୁ ଯାଇ ପିଲାମାନେ ମଜା ନେଉଥିଲେ। ମାହୁନ୍ତମାନେ ହାତୀକୁ ଆଣି ପ୍ରାଣୀ ଉଦ୍ୟାନ ଭିତରେ ବୁଲାଉଥିଲେ ମଧ୍ୟ। ଏବେ କିନ୍ତୁ ସ୍ଥିତିରେ ବହୁ ପରିବର୍ତ୍ତନ ଆସିଛି। ଆଉ ଆଗ ଭଳି ହାତୀ ଏଠାରେ ନାହାନ୍ତି। ସଂଖ୍ୟା ବି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ୨୦୦୯ରୁ ୨୦୨୨ ମଧ୍ୟରେ ପର୍ଯ୍ୟାୟକ୍ରମେ ୭ଟି ହାତୀଙ୍କ ଜୀବନ ଯାଇଛି। ୨୦୧୯ରେ ନନ୍ଦନକାନନରେ ଥିେଲ ୮ ହାତୀ। ହାର୍ପିସ୍ ଭୂତାଣୁ ବ୍ୟାପିବାରୁ ଗୋଟିଏ ପରେ ଗୋଟିଏ ଏମିତି ୪ଟି ହାତୀଙ୍କ ଜୀବନ ଯାଇଥିଲା। ପରିଣାମ ସ୍ବରୂପ ହାତୀଙ୍କ ସଂଖ୍ୟା ଅଧା ହୋଇଥିଲା। ଗତ ଅକ୍ଟୋବରରେ ବୟସ୍କା ହାତୀ ‘ପ୍ରେମା’ର ମୃତ୍ୟୁ ପରେ ଏବେ ସଂଖ୍ୟା ୩ରେ ସୀମିତ ରହିଛି। ମାଈ ହାତୀ ‘ବାସନ୍ତୀ’ ଅଧିକାଂଶ ସମୟରେ ଅସୁସ୍ଥ ହେଉଥିବା ବେଳେ ଏବେ ‘ହୀରା’ ଅସୁସ୍ଥ ଅଛି। ଛୁଆ ହାତୀ ‘ମାମା’କୁ ଦେଖିବାକୁ ବାରଣ ଥିବାରୁ ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଛନ୍ତି। ତିନି ବର୍ଷ ହେଲା ହାତୀଙ୍କ ସଂଖ୍ୟା ବୃଦ୍ଧି ପାଇ ନ ଥିବାରୁ ଏହି ପ୍ରାଣୀ ଉଦ୍ୟାନ ହାତୀ ଶୂନ୍ୟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
୨୦୦୯ରୁ ଏବେ ସୁଦ୍ଧା ୭ଟି ହାତୀ ମରିଛନ୍ତି। ୨୦୧୧ ଜୁନ୍ ୩୦ରେ ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ଅନ୍ଧୁଣୀ ମାଈ ହାତୀ ଲକ୍ଷ୍ମୀ(୩୪)ର ମୃତ୍ୟୁ ହୋଇଥିଲା। ୨୦୧୬ ମେ’ ୩୦ରେ ସୁନ୍ଦରଗଡ଼ରୁ ଉଦ୍ଧାର କରି ଅଣାଯାଇଥିବା ‘ଜଗନ’ ବଜବଜିଆ ରୋଗରେ ଆକ୍ରାନ୍ତ ହୋଇ ମରିଥିଲା। ନନ୍ଦନକାନନ ପରିବେଶ ହାତୀ ବଢ଼ିବା ପାଇଁ ଅନୁକୂଳ ହୋଇଥିଲେ ବି ବିଭିନ୍ନ ସମୟରେ ହେଉଥିବା ସଂକ୍ରମଣକୁ ରୋକି ନହେବା କାରଣରୁ ଏଠାରେ ହାତୀମାନଙ୍କ ମୃତ୍ୟୁ ହୋଇଯାଉଛି। ୨୦୧୯ରେ ହାର୍ପିସ୍ ଆକ୍ରାନ୍ତରେ ମରିଥିବା ଜୁଲି, ଚନ୍ଦନ, ଗୌରୀ, କମଳାକୁ ଶିଶୁ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରାଯାଇ ଏଠାରେ ଲାଳନପାଳନ କରାଯାଇଥିଲା। ସେମାନଙ୍କ ଯତ୍ନ ନିଆଯିବା ଦ୍ବାରା ବହୁ କମ୍ ସମୟ ମଧ୍ୟରେ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିଲେ। ବଜବଜିଆରେ ମରିଥିବା ‘ଜଗନ’କୁ ବି ଜଙ୍ଗଲରୁ ଶିଶୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗତ ଅକ୍ଟୋବର ମାସରେ ପ୍ରାଣୀ ଉଦ୍ୟାନର ବାର୍ଦ୍ଧକ୍ୟ ପୀଡ଼ିତ ଚିକିତ୍ସାଧିନ ବୟସ୍କା ହାତୀ ପ୍ରେମା(୫୮)ର ମୃତ୍ୟୁ ହୋଇଥିଲା।