୨୪ ନିର୍ବାଚନ ପାଇଁ ୪୫ରୁ ଅଧିକ ରାଲି କରିବେ ନରେନ୍ଦ୍ର ମୋଦୀ

0

ନୂଆଦିଲ୍ଲୀ(ଆମ ଟିଭି): ୨୦୨୪ ନିର୍ବାଚନ ପାଇଁ ବିଜେପି ଏବେଠୁ ଆରମ୍ଭ କରିସାରିଲାଣି ଅଙ୍କକଷା । ବିଜେପି ଏକ ସ୍ବତନ୍ତ୍ର ପ୍ରଚାର ଅଭିଯାନ ଆରମ୍ଭ କରିବାପାଇଁ ନିଷ୍ପତ୍ତି ନେଇଛି। ୨୦୧୯ ଲୋକସଭା ନିର୍ବାଚନରେ ଦଳ ହାରିଥିବା ୧୬୦ ଟି ଲୋକସଭା ଆସନ ପାଇଁ ବିଜେପି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଏହି ନିର୍ବାଚନମଣ୍ଡଳୀ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୫ରୁ ଅଧିକ ମେଗା ରାଲି କରିବେ। ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଏଥିପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଉକ୍ତ ରୢାଲି ଗୁଡ଼ିକର ପ୍ରସ୍ତୁତି ପାଇଁ ବିଜେପି ଏହାର ୩ ଜାତୀୟ ସାଧାରଣ ସଚିବ ସୁନୀଲ ବନସଲ, ବିନୋଦ ତାୱଡ଼େ ଏବଂ ତରୁଣ ଚୁଘଙ୍କୁ ଦାୟିତ୍ବ ଦେଇଛି। ଏହ ୧୬୦ଟି ଆସନରେ ମୋଦୀ ୪୫ରୁ ୫୫ଟି ରୢାଲି କରିବେ। ଉକ୍ତ ଲୋକସଭା ଆସନ ଗୁଡ଼ିକୁ ବିଭିନ୍ନ କ୍ଲଷ୍ଟର୍ରେ ବିଭକ୍ତ କରାଯାଇଛି। ପ୍ରତି କ୍ଲଷ୍ଟରରେ ୪ଟି ଆସନ ରହିଛି। ଏହି ଆସନକୁ ମଧ୍ୟ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରତିଟି ଭାଗରେ ୮୦ ଆସନ ରହୁଛି। ପ୍ରଥମ ୮୦ ଆସନରେ ନଡ୍ଡା ରୢାଲି କରିବେ ଏବଂ ଅନ୍ୟ ୮୦ ଆସନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରାଲି ଓ ବୈଠକ କରିବେ।

ବରିଷ୍ଠ ନେତାମାନଙ୍କ ବୈଠକ ଏବଂ ରୢାଲି ଦ୍ବାରା ଉକ୍ତ ୧୬୦ ଆସନରେ ବିଜେପି ସପକ୍ଷରେ ଭଲ ଭୋଟ୍ ମିଳିବ ବୋଲି ବିଶ୍ବାସ କରାଯାଉଛି। ଲଗାତାର ତୃତୀୟ ଥର ପାଇଁ ୨୦୨୪ ଲୋକସଭାରେ ବିଜେପି କ୍ଷମତାକୁ ଫେରିବାପାଇଁ ଚେଷ୍ଟା ଜାରି ରଖିଛି। ୧୬୦ ଆସନରେ ପ୍ରଥମ ପର୍ୟ୍ୟାୟ ପ୍ରଚାର ଶେଷ କରିବାପରେ ଦଳ ଦେଶର ଅନ୍ୟ ୩୮୩ ଆସନରେ ମଧ୍ୟ ପ୍ରଚାର କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉକ୍ତ ଆସନ ଗୁଡ଼ିକରେ ରୢାଲି କରିବେ।

 

Leave A Reply

Your email address will not be published.