ଭୁବନେଶ୍ୱର (ଆମ ଟିଭି): ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ଏହାରି ଭିତରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବଡ ବୟାନ ରଖିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ନରସିଂହଙ୍କ କହିବା କଥା, ଏହି ହତ୍ୟାକାଣ୍ଡ ହଠାତ୍ ହୋଇନି କି ଏହା ଆକ୍ସିଡେଣ୍ଟାଲ ଡେଥ ନୁହେଁ । ଏହା ପଛରେ ବହୁ ଦିନର ଷଡ଼ଯନ୍ତ୍ର ରହିଛି । ତେବେ ଗୁଳି ବାଜିବା ପରେ ନବ ଦାସଙ୍କ ମୃତ୍ୟୁ ଘଟଣା ସ୍ଥଳରେ ହିଁ ହୋଇଥିଲା ବୋଲି ନରସିଂହ କହିଛନ୍ତି ।
ଅନ୍ୟପଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟରେ ଆଇନର ଶାସନ ନୁହେଁ ବରଂ ଜଙ୍ଗଲୀ ଶାସନ ଚାଲିଛି ବୋଲି ନରସିଂହ କହିଛନ୍ତି । ନବ ଦାସଙ୍କ ହତ୍ୟାକାଣ୍ଡରେ ତଦନ୍ତକାରୀ ସଂସ୍ଥା ଉପରେ ଲୋକଙ୍କ ସନ୍ଦେହ ବଢୁଛି । ତଦନ୍ତକାରୀ ସଂସ୍ଥା ପ୍ରେସମିଟ ଜରିଆରେ ଲୋକଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେବା ଦରକାର ବୋଲି ସେ କହିଛନ୍ତି । ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ପୋଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନଥିବା ବେଳେ ରାଜ୍ୟରେ ଡିଜି ନଥିବା ଭଳି ମନେ ହେଉଛି ଏବଂ ଡିଜି କିଛି ବି କରୁନାହାନ୍ତି ବୋଲି ନରସିଂହ କହିଛନ୍ତି ।