ଭୁବନେଶ୍ୱର (ଆମ ଟିଭି): ଦିଲ୍ଲୀ ଦରବାରରେ ପୁଣି ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଇବ ବିଜେଡି । ବିଜେଡି ସଂସଦୀୟ ଦଳ ବୈଠକରେ ସାଂସଦଙ୍କୁ ଏନେଇ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂସଦର ଉଭୟ ଗୃହରେ ବିଜେଡି ରାଜ୍ୟ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗଗୁଡିକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିବ। ବିଭିନ୍ନ ସମୟରେ ବିଜେପି ନେତାମାନେ କରୁଥିବା ଅପପ୍ରଚାରକୁ କିପରି ରୋକାଯିବ ତା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ବିଜେପିର ଅପପ୍ରଚାର ଯୋଗୁଁ ରାଜ୍ୟବାସୀଙ୍କ ସ୍ବାର୍ଥ ହାସଲ ହୋଇପାରୁନି ଓ ଗରିବଗୁରୁବା ଲୋକ ପ୍ରଭାବିତ ହେଉଛନ୍ତି ।
ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ପାଇଁ ନବୀନ କରୁଥିବା ଦାବିକୁ ଆହୁରି ଜୋରଦାର କରାଯିବ । ସେହିଭଳି ୧୬୯ ଜନଜାତିଙ୍କୁ ତାଲିକାଭୁକ୍ତ କରିବାକୁ ଦାବି ଜୋରଦାର କରାଯିବ। ରେଳବାଇରେ ଓଡ଼ିଶାକୁ ନ୍ୟାୟ ମିଳୁନଥିବାରୁ ସଂସଦର ଉଭୟ ଗୃହରେ ବିଜେଡି ସାଂସଦମାନେ ଏହାର ପ୍ରତିବାଦ କରିବେ । ଆବାସ ଯୋଜନାରେ ଅନ୍ୟାୟ ଭାବେ ୪ଲକ୍ଷ ହିତାଧିକାରୀ ନାମ ତାଲିକାକୁ କେନ୍ଦ୍ର କାଟିଦେଇଛି । ଓଡିଶାର ଆହୁରି ୧୫ ଲକ୍ଷ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ସାମିଲ ହେବାର ଆବଶ୍ୟକତା ରହିଛି । ସଂସଦରେ ଏନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ବିଜେଡି ସାସଂଦ ।