ନୂଆଦିଲ୍ଲୀ(ଆମ ଟିଭି): ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଇଫଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ ଗ୍ରହଣ କରିଛନ୍ତି।ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ ଭି ରମନାଙ୍କଠାରୁ ଲାଇଫଟାଇମ ଆଚିଭମେଣ୍ଟ ସମ୍ମାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ୨୫ବର୍ଷ ଧରି ନିଜକୁ ଜନସେବାରେ ନିୟୋଜିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ‘କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି’ ପକ୍ଷରୁ ଆୟୋଜିତ ଉତ୍ସବରେ ନବୀନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।
ନିଜର ଶାସନ ବ୍ୟବସ୍ଥା ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନବୀନଙ୍କୁ ଏହି ସମ୍ମାନ ମିଳୁଥିବାରୁ ବିଭିନ୍ନ ଜାତୀୟ ଗଣମାଧ୍ୟମରୁ ଆରମ୍ଭ କରି ରାଜନୈତିକ ମହଲରେ ଏବେ ଏନେଇ ଚର୍ଚ୍ଚା। ୧୯୯୭ରେ ରାଜନୀତିରେ ପାଦ ଦେଇଥିବା ନବୀନ ୨୦୦୦ ମସିହାରୁ ଲଗାତର ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିବା ସହ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅଭାବ ଅନଟନ, ଦାରିଦ୍ର୍ୟ, ଅନାହାର, ଅନଗ୍ରସର ରାଜ୍ୟ ଭାବେ ଓଡ଼ିଶାର ଯେଉଁ ବଦନାମ୍ ଥିଲା, ତାହାକୁ ବହୁ ମାତ୍ରାରେ ହଟାଇବାରେ ସକ୍ଷମ ହୋଇଛନ୍ତି। ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ସାଢ଼େ ୪କୋଟି ଓଡ଼ିଆଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାରେ ତାଙ୍କ ମଡେଲକୁ ସାରା ବିଶ୍ବ ପ୍ରଶଂସା କରୁଛି।