ଭୁବନେଶ୍ୱର(ଆମ ଟିଭି): ଆଜି ଆସିଛି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ । ଏଥିରେ କିଛି କ୍ଷେତ୍ରରେ ପଦେକ୍ଷପ ବେଶ ପ୍ରଶଂସନୀୟ । ତେବେ କେତେକ ଦିଗ ପ୍ରତି ବଜେଟରେ ଅଣଦେଖା କରାଯିବା ଚିନ୍ତାଜନକ । ଏଥିପ୍ରତି ଧ୍ୟାନ ଦେବା ଜରୁରୀ । ବଜେଟକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ଓଡ଼ିଶା ରାଜ୍ୟ ବିଜେପପିର ନେତାମାନେ ‘ଆୟୁଷ୍ମାନ ଭାରତ’ ଯୋଜନା ନେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନିଜ ବଜେଟ ପ୍ରତିକ୍ରିୟାରେ କହିଛନ୍ତି, ବଜେଟରେ ପୁଞ୍ଜି ନିବେଶକୁ ଅଗ୍ରାଧିକାର ମିଳିଛି । ପାନୀୟ ଜଳ ଓ ଗ୍ରାମ୍ୟ ଗୃହ ନିର୍ମାଣକୁ ଅଧିକ ଫୋକସ୍ କରାଯାଇଛି । ଏହା ବାସ୍ତବରେ ଦେଶର ଅଭିବୃଦ୍ଧିକୁ ଆଗକୁ ନେବା ସହ ଗ୍ରାମାଞ୍ଚଳର ସାମାଜିକ ବିକାଶରେ ସହାୟକ ହେବ । ମିଲେଟ ଉପରେ ପ୍ରଧାନମନ୍ତ୍ରୀ ଭରସା କରିଥିବାରୁ ନବୀନ ଖୁସି ବ୍ୟକ୍ତ କରିଛନ୍ତି । ଓଡ଼ିଶା ମିଲେଟ ମିଶନ ସମଗ୍ର ଦେଶରେ ଏକ ଅଭିନବ ପଦକ୍ଷେପ ଥିଲା ।
ମିଲେଟକୁ ବଜେଟରେ ଗୁରୁତ୍ବ ମିଳିଥିବାରୁ ବେଶ ଖୁସି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ ଦର୍ଶାଇଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ସଂପର୍କରେ କଡ଼ା ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, ଏ ଯୋଜନା ପାଇଁ ରାଜ୍ୟ ବିଜେପି ନେତାମାନେ ଓକିଲାତି କରୁଛନ୍ତି । ଏଥିପାଇଁ କେନ୍ଦ୍ର ବଜେଟରେ ମାତ୍ର ୭ ହଜାର ୨ ଶହ କୋଟି ସାରା ଦେଶ ପାଇଁ ବରାଦ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ୨୪୦୦ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ କରୁଛନ୍ତି ।