ଭୁବନେଶ୍ବର (ଆମ ଟିଭି): ଓଡ଼ିଶାକୁ କିପରି ପୁଞ୍ଜି ଆସିବ । ଓଡ଼ିଶାରେ କିପରି ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ, ସେନେଇ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁବାଇ, ଅହମଦାବାଦ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ପରେ ଆଜି ବେଙ୍ଗାଲୁରୁରେ ଶିଳ୍ପ ସଂଘ ଫିକି ସହଯୋଗରେ ଓଡ଼ିଶା ସରକାର ନିବେଶକ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ସମ୍ମିଳନୀରେ ୫୦୦ରୁ ଅଧିକ ଶିଳ୍ପପତି ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି।
ୱିପ୍ରୋର ଅଧ୍ୟକ୍ଷ ଅଜିମ୍ ପ୍ରେମ୍ଜୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ବେଳେ ଗୋଲ୍ଡେନ୍ ହାଚେରିର ପ୍ରତିଷ୍ଠାତା ସଇଦ ଫହାଦ, ୯୧ ସ୍ପ୍ରିଙ୍ଗ୍ବୋର୍ଡର ସହ ପ୍ରତିଷ୍ଠାତା ବରୁଣ ଚାୱଲା ଓ ପ୍ରଣୟ ଗୁପ୍ତା, ଡୋଲ୍ଲା ଡେରିର ନିର୍ଦେଶକ ଏଏମ୍ଏସ୍ ରେଡ୍ଡି, ନନ୍ଦୀ ପାୱାରଟ୍ରୋନିକ୍ସର ଏମ୍ଡି ଏଚ୍ ଏନ୍ ରାମକ୍ରିଷ୍ଣୟା, ନେଷ୍ଟ୍ଆୱେର ଏମ୍ଡି ଅମରେନ୍ଦ୍ର ସାହୁ, ମର୍ଲିନହକ୍ ଏରୋସ୍ପେସ୍ର ନିର୍ଦେଶକ ଜାବି ଜୋସେଫ୍ ଆଣ୍ଡ୍ରୋଥ୍, ଏମ୍ଭିଏମ୍ ଇଣ୍ଡଷ୍ଟ୍ରିଜ୍ର ନନ୍ଦ ଭେଙ୍କଟ ରାଓ ଏବଂ ଶର୍ବାଣୀ ଏନର୍ଜିର ଏମ୍ଡି ଏନ୍ ପ୍ରଶାନ୍ତ ରାଓ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ୟ୍ୟକ୍ରମ ରହିଛି।
ଏହି ସମ୍ମିଳନୀରେ ଆଇଟି କଂପାନିର ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଆଲୋଚନାରେ କରିବେ। ସେଥିରେ ଆଇବିଏମ୍ ଇଣ୍ଡିଆର ମ୍ୟାନେଜିଂ ପାର୍ଟନର ଅମିତ ଶର୍ମା, ୱିପ୍ରୋ-ଜିଇ ହେଲ୍ଥକେୟାରର ସିଇଓ ଡକ୍ଟର ଶ୍ରବଣ ସୁବ୍ରମଣ୍ୟନ, ଏବିବି ଲିମିଟେଡ୍ର ସିଏଫ୍ଓ ଟି କେ ଶ୍ରୀଧର, ଟିଟିକେ ପ୍ରେଷ୍ଟିଜ୍ର ସିଏଫ୍ଓ ସରାୟଣ ପି, ଇଣ୍ଡୋ ନିସିନ୍ ଫୁଡ୍ସର ଏମ୍ଡି ଗୌତମ ଶର୍ମା, ପେଜ୍ ଇଣ୍ଡଷ୍ଟ୍ରିଜ୍ର ସିଇଓ ଭି ଏସ୍ ଗଣେଶ, ହାପିଏଷ୍ଟ୍ ମାଇଣ୍ଡ୍ସର ସିଏଫ୍ଓ ଭେଙ୍କଟରମଣ ଏନ୍, କଟନ୍ ୱାର୍ଲଡ୍ର ଏମ୍ଠି ବି ଏନ୍ ମୋନପ୍ପା, ୱାଣ୍ଡେର୍ଲାର ଏମ୍ଡି ଅରୁଣ ଚିତ୍ତପାଲ୍ଲି ଏବଂ ଇଣ୍ଡିଆନ୍ ଷ୍ଟିଚେସ୍ର ସିଏମ୍ଡି ବିଶାଲ ସେହଗଲ ଭାଗ ନେବେ।