ହକି ବିଶ୍ଵ କପ୍, ଆଜି ଉଦଘାଟନୀ ଉତ୍ସବରେ ଯୋଗ ଦେବେ ନବୀନ

0

ରାଉରକେଲା : ଆଜି ପ୍ରତୀକ୍ଷାର ଅନ୍ତ ଘଟିବ। ହକିର ଅନ୍ତୁଡ଼ିଶାଳରେ ଆରମ୍ଭ ହେବ ଅନ୍ତର୍ଜାତୀୟ ହକିର ମହାକୁମ୍ଭ। ସେଥିପାଇଁ ଖେଳାଳି ପ୍ରସ୍ତୁତ, ଆୟୋଜକ ଓ ଦର୍ଶକ ବି ପ୍ରସ୍ତୁତ। ପ୍ରଥମ ଦିନରେ ନୂଆ ତିଆରି ହୋଇଥିବା ତଥା ସବୁ ଚର୍ଚ୍ଚାର କେନ୍ଦ୍ରରେ ଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଓ ୱେଲ୍‌ସ ଏବଂ ଦ୍ବିତୀୟ ମ୍ୟାଚ୍‌ ଭାରତ ଓ ସ୍ପେନ୍‌ ମଧ୍ୟରେ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ଉପଭୋଗ କରିବାକୁ ହକିପ୍ରେମୀ ଚାହିଁବସିଥିବା ବେଳେ ଷ୍ଟାଡିୟମ ବି ପ୍ରସ୍ତୁତ ହୋଇସାରିଲାଣି। ଉଦ୍‌ଘାଟନୀ ମ୍ୟାଚ୍‌ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ଅପରାହ୍ନରେ ରାଉରକେଲାରେ ପହଞ୍ଚିବାପରେ ଭାରତ-ସ୍ପେନ ମ୍ୟାଚ୍‌କୁ ଉପଭୋଗ କରିବେ। ମୁଖ୍ୟମନ୍ତ୍ରୀ ଶୁକ୍ରବାର ରାତି ରାଉରକେଲାରେ କଟାଇବେ ଓ ଶନିବାର ସକାଳୁ ଭୁବନେଶ୍ବର ଅଭିମୁଖେ ବାହାରିବେ ବୋଲି ସୂଚନା ମିଳିଛି।

ବିଶ୍ବକପ୍‌ ପାଇଁ ରାଉର​କେଲାରେ ନାହିଁ ନଥିବା ଉତ୍ସାହ। ଉଦ୍‌ଘାଟନୀ ଉତ୍ସବରେ ଭାରତର ମ୍ୟାଚ୍‌ ଥିବାରୁ ଷ୍ଟାଡିୟମ ଦର୍ଶକରେ ଉଚ୍ଛୁଳି ପଡ଼ିବା ଅନୁମାନ କରାଯାଉଛି। ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଦର୍ଶକଙ୍କ ଆଗମନ ହେବା ଆଶା କରାଯାଉଛି। ଗୁରୁବାରଠାରୁ ଅନ୍ୟ ରାଜ୍ୟର ଦର୍ଶକ ରାଉରକେଲାରେ ପହଞ୍ଚିସାରିଲେଣି। ଏମାନେ ସହରର ବିଭିନ୍ନ ହୋ‌ଟେଲରେ ରହୁଛନ୍ତି। ଆଜିକାର ସ୍ଥିତି ଏମିତି ଯେ ଆଜି ସହରରେ ଗୋଟିଏ ହୋଟେଲ୍‌ରେ ବି ରୁମ୍‌ ଖାଲିନାହିଁ। କାଲି ସକାଳୁ ହିଁ ଷ୍ଟାଡିୟମ ଆଖପାଖ ସମେତ ସହରରେ ଦର୍ଶକଙ୍କ ଭିଡ଼ ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି। ଅପରପକ୍ଷରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ମୋଟ୍‌ ୫୬ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଷ୍ଟାଡିୟମ ସମେତ ରାଉରକେଲା ସହର ସାରା ଆଲୋକ ସଜ୍ଜା କରାଯାଇଛି।

Leave A Reply

Your email address will not be published.