କଳାହାଣ୍ଡିବାସୀଙ୍କୁ ‘ଲକ୍ଷ୍ମୀ ବସ ଉପହାର ଦେବେ ନବୀନ
ଭବାନୀପାଟଣା : ରାଜ୍ୟ ସରକାରଙ୍କ ଅନ୍ୟତମ ଐତିହାସିକ ପଦକ୍ଷେପ ‘ଲକ୍ଷ୍ମୀ ଯୋଜନା’ରେ ବୁଧବାର ଠାରୁ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଗଡ଼ିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସି ଏଠାରେ ୬୩ଟି ଲକ୍ଷ୍ମୀ ବସ୍ର ଶୁଭାରମ୍ଭ କରିବେ। ସୂଚନାଯୋଗ୍ୟ, ୧୯୪୮ ନଭେମ୍ୱର ପହିଲାରେ କଳାହାଣ୍ଡି ଜିଲ୍ଲା ମାନ୍ୟତା ପାଇଥିଲା। ତେଣୁ ସ୍ୱାଭିମାନୀ କଳାହାଣ୍ଡିଆ ଜନତା ନଭେମ୍ୱର ୧ କୁ କଳାହାଣ୍ଡି ପ୍ରତିଷ୍ଠା ଦିବସ ଭାବେ ପାଳନ କରିଥାନ୍ତି। ଏପରି ଏକ ଶୁଭ ଦିବସରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଆସିବା ବେଶ୍ ଗୁରୁତ୍ୱ ବହନ କରେ।
ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ମିଳିଥିବା ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକେପ୍ଟର୍ ଯୋଗେ ଆସି ସହିଦ ରେଣ୍ଡୋମାଝୀ ମେଡିକାଲ କଲେଜର ହେଲିପ୍ୟାଡ୍ରେ ଅବତରଣ କରିବେ। ସେଠାରେ ୩ଶହ କୋଟିରୁ ଊର୍ଦ୍ଧ୍ବ ବ୍ୟୟ ଅଟକଳର ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ତଥା ୨୨ଟି ବିଭାଗକୁ ନେଇ ଆରମ୍ଭ ହୋଇଥିବା ସହିଦ ରେଣ୍ଡୋମାଝୀ ମେଡିକାଲ କଲେର ଶୁଭାରମ୍ଭ କରିବେ। ଏହାପରେ ଲକ୍ଷ୍ମୀ ବସ୍ ଯୋଜନାର ଉଦ୍ଘାଟନୀ କାର୍ୟ୍ୟକ୍ରମ ସହ ୧୩ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଭବାନୀପାଟଣା ବସ୍ ଟର୍ମିନାଲର ଲୋକାର୍ପଣ କରିବେ। ଏହାବ୍ୟତୀତ ଏକ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ କେତେକର ଶୁଭ ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି। ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏହା ଶ୍ରେଷ୍ଠ ଭେଟି ହେବବୋଲି ଜିଲ୍ଲାସାରା ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି।