କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: କାହିଁକି ଓ କାହାକୁ ଜାଣନ୍ତୁ?

0

ଭୁବନେଶ୍ୱର (ଆମ ଟିଭି): ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ନବୀନ । ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ନବୀନ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଅନୁସୂଚିତ ଜନଜାତି ତାଲିକାରେ ରାଜ୍ୟର ୧୬୦ରୁ ଅଧିକ ଜନଜାତିଙ୍କୁ ସାମିଲ କରିବା ପ୍ରସ୍ତାବକୁ କାର୍ୟ୍ୟକାରୀ କରାଯାଉନି । ଏନେଇ ବାରମ୍ବାର କେନ୍ଦ୍ରକୁ ରାଜ୍ୟ ସରକାର ଅବଗତ କରିଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଏକ ଟାସ୍କଫୋର୍ସ ରାଜ୍ୟର ୯ଟି ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେହିସବୁ ଜନଜାତି ଏପର୍ୟ୍ୟନ୍ତ ତାଲିକାଭୁକ୍ତ ହୋଇନାହାନ୍ତି । ଏନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଚିଠି ଲେଖି ରାଜ୍ୟର ପ୍ରସ୍ତାବ ଉପରେ ବିଚାର କରିବାକୁ ନବୀନ ଦାବି କରିଛନ୍ତି । ୧୯୭୮ରୁ ରାଜ୍ୟ ସରକାର ଏହା ଭିତରେ ୧୬୦ ଜନଜାତିଙ୍କୁ ତାଲିକାଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହିସବୁ ପ୍ରସ୍ତାବ ଅନୁସୂଚିତ ଜନଜାତି ଉପଦେଷ୍ଟା ପରିଷଦର ଅନୁମୋଦନ ପରେ କେନ୍ଦ୍ରକୁ ପଠାଯାଇଛି । ଦୀର୍ଘ ଦିନରୁ ରାଜ୍ୟ ସରକାର ଏହି ଦାବି କରିଆସୁଥିଲେ ମଧ୍ୟ ଜନଜାତି ଲୋକମାନେ ତାଲିକାଭୁକ୍ତ ହୋଇପାରୁନଥିବାରୁ ସେମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସୁବିଧା ସୁଯୋଗ ମିଳିପାରୁନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

Leave A Reply

Your email address will not be published.