ନୂଆଦିଲ୍ଲୀ (ଆମ ଟିଭି): ଏନଡିଏ ନା ଇଣ୍ଡିଆ? ବହୁଜନ ସମାଜବାଦୀ ପାର୍ଟି କାହାକୁ ସମର୍ଥନ କରିବ? ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଶେଷରେ ବିଏସପି ସୁପ୍ରିମୋ ଏହି ୨ଟି ମେଣ୍ଟ ପାଖରୁ ଦୂରେଇ ରହିଛନ୍ତି । ବୁଧବାର ଦିନ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ମାୟାବତୀ । ସେ କହିଛନ୍ତି କି ଆଗାମୀ ଲୋକସଭା ନିର୍ବାଚନ ଓ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ସେ କୌଣସି ଦଳ ସହ ମେଣ୍ଟ ନକରି ଏକାକୀ ନିର୍ବାଚନ ଲଢିବେ ।
ବିରୋଧୀ ମେଣ୍ଟ ଉପରେ ଅଭିଯୋଗ ଆଣି ମାୟାବତୀ କହିଛନ୍ତି କି, କେବଳ କ୍ଷମତା ହାସଲ କରିବାକୁ ବିରୋଧୀ ଦଳମାନେ ମେଣ୍ଟ କରିଛନ୍ତି । ମାୟାବତୀ କହିଛନ୍ତି କି କ୍ଷମତାରୁ ବାହାର ହେବା ପରେ କଂଗ୍ରେସର ପଛୁଆ ଓ ଦଳିତଙ୍କ କଥା ମନେ ପଡୁଛି । ଏବେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ଜାତିବାଦ ଦଳ ଓ ପୁଞ୍ଜିବାଦ ଶକ୍ତି ସହ ମେଣ୍ଟ କରିବାକୁ ଆଗ୍ରହ ଦେଖାଉଛି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି ।