ଓଲିଉଡରେ ନୂଆ ଅଧ୍ୟାୟ: ‘ଆଫା’ ଓ ‘ପୂୟୋଦକମ’ର ଗ୍ରାଣ୍ଡ ରିଲିଜ୍, ଏକାଠି ହେଲେ ଦୁଇ ଟିମ୍
ଓଡ଼ିଆ ସିନେମା ଜଗତ ପାଇଁ ଆଜି ଏକ ସ୍ମରଣୀୟ ଦିନ। ଶୁକ୍ରବାର ବଡ଼ ପରଦାକୁ ଆସିଛି ଦୁଇଟି ଭିନ୍ନ ସ୍ବାଦର ଚଳଚ୍ଚିତ୍ର ‘ଆଫା – ଲାଇଫ୍ ଆଫ୍ଟର୍ ଲାଇଫ୍’ ଏବଂ ‘ପୂୟୋଦକମ’। ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଓଡ଼ିଆ ଭାଷା ପକ୍ଷ ଅବସରରେ ଦୁଇ ସିନେମାର କଳାକାର ଓ ସଦସ୍ୟମାନେ ଏକାଠି ହୋଇ ପରସ୍ପରର ଚଳଚ୍ଚିତ୍ରକୁ ପ୍ରମୋଟ୍ କରିଛନ୍ତି, ଯାହା ଓଲିଉଡରେ ଏକ ନିଆରା ଏକତା ପ୍ରଦର୍ଶନ କରିଛି। ପ୍ରଥମେ ଡିଏନ୍ ରେଗାଲିଆ ସ୍ଥିତ ଆଇନକ୍ସରେ ‘ଆଫା’ ଏବଂ ପରେ ଶ୍ରେୟା ସିନେପ୍ଲେକ୍ସରେ ‘ପୂୟୋଦକମ’କୁ ଉଭୟ ଟିମ୍ ମିଳିତ ଭାବେ ଦେଖିଥିଲେ। ଏହି ଅବସରରେ ପ୍ରୀତିରାଜ ଶତପଥୀ, ନୈନା ଦାଶ, ଗୁନଗୁନ ଏବଂ ମିଡିଆ ପ୍ଲାନର ପ୍ରଣୟ ଜେଠୀଙ୍କ ସମେତ ଅନେକ ବରିଷ୍ଠ କଳାକାର ଉପସ୍ଥିତ ଥିଲେ।

ପ୍ରୀତିରାଜ ଶତପଥୀଙ୍କ ନିର୍ଦ୍ଦେଶିତ ‘ଆଫା’ ଏକ ସାଧାରଣ ପରିବାରର ଅସାଧାରଣ କାହାଣୀ। ଏଥିରେ ସୁନାମଧନ୍ୟ ନିର୍ଦ୍ଦେଶକ ଅଶୋକ ପତିଙ୍କ କନ୍ୟା ଅନମୋଲ ପତି ନିଜର ଅଭିନୟ ଯାତ୍ରା ଆରମ୍ଭ କରିଛନ୍ତି। କୁନା ତ୍ରିପାଠୀ, ନୈନା ଦାଶ ଓ ହର ରଥଙ୍କ ଭଳି କଳାକାରଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । ଚଳଚ୍ଚିତ୍ରର ସଂଳାପ ରଚନା କରିଛନ୍ତି ବରିଷ୍ଠ ଅଭିନେତା କୁନା ତ୍ରିପାଠୀ।
ଅନ୍ୟପଟେ ଶିବପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ପୂୟୋଦକମ’ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀର ସଂଘର୍ଷ, ଆଧ୍ୟାତ୍ମିକତା ଓ ବିଦ୍ରୋହର କାହାଣୀ। ପୂର୍ବରୁ ଆନ୍ତର୍ଜାତୀୟ ମହୋତ୍ସବରେ ପ୍ରଶଂସିତ ଏହି ଗୁନଗୁନ ଫିଲ୍ମସ୍ ନିବେଦିତ ପୂୟୋଦକମର ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଶିବପ୍ରସାଦ ମହାନ୍ତି। କେବଳ ନିର୍ଦ୍ଦେଶନା ନୁହେଁ, ଚିତ୍ରନାଟ୍ୟ ଓ ସଂଳାପ ରଚନା ସହ ସମ୍ପାଦନା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି। ଫିଲ୍ମର ପ୍ରଯୋଜନା କରିଛନ୍ତି ଗୁନଗୁନ ଓ ରୀନା ଜେନା। ବିଭିନ୍ନ ଭୂମିକାରେ ଗୁନଗୁନ, ଶ୍ରୀତମ ଦାସ, ଗାର୍ଗୀ ମହାନ୍ତି, ଅଭିଷେକ ଗିରି, ଶୁଭ୍ରାଂଶୁ ନାୟକ, ବିଭୂ ଦାସ ଓ ପୂର୍ଣ୍ଣେନ୍ଦୁ ଦତ୍ତ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଦୁଇ ଭିନ୍ନ ଧାରାର ସିନେମା ଓଡ଼ିଆ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖିବ ବୋଲି ଆଶା କରାଯାଉଛି।