ଶପଥ ନେଲେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି: ୫୩ତମ ପ୍ରଧାନ ବିଚାରପତି ଭାବେ ନେଲେ ଦାୟିତ୍ବ
ନୂଆଦିଲ୍ଲୀ(ଆମ ଟିଭି): ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ନୂତନ ମୁଖ୍ୟ ବିଚାରପତି ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ସିଜେଆଇ ଭାବରେ ଶପଥ ପାଠ କରାଇଥିଲେ। ଏହି ସମୟରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଉପସ୍ଥିତ ଥିଲେ ।
ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇଙ୍କ ସିଜେଆଇ ଭାବରେ କାର୍ଯ୍ୟକାଳ ୨୩ ନଭେମ୍ବର, ୨୦୨୫ ରେ ଶେଷ ହୋଇଥିଲା । ସେ ସାଢ଼େ ଛଅ ମାସ ପାଇଁ ଏହି ପଦରେ ରହିଥିଲେ। ସିଜେଆଇ ଭାବରେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକାଳ ପ୍ରାୟ ଦେଢ଼ ବର୍ଷ ହେବ । ସେ ୯ ଫେବୃଆରୀ, ୨୦୨୭ ରେ ଅବସର ଗ୍ରହଣ କରିବେ । ବର୍ତ୍ତମାନ ତାଙ୍କର ବୟସ ୬୩ ବର୍ଷ । ୧୯୬୨ ମସିହାରେ ହରିୟାଣାରେ ଜନ୍ମିତ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ୧୯୮୪ ମସିହାରେ ପ୍ରଥମେ ହିସାରରେ ଓକିଲାତି ଜୀବନ ଆରମ୍ଭ କରିଥିଲେ । ଏହାପରେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ସେ ହରିଆଣାର ସର୍ବକନିଷ୍ଠ ଆଡଭୋକେଟ୍ ଜେନେରାଲ ଭାବେ ଦାୟିତ୍ବ ନେଇଥିଲେ ।
୨୦୦୪ ମସିହାରେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତି ହୋଇଥିଲେ । ୨୦୧୮ ମସିହାରେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନେଇଥିଲେ । ୨୦୨୪ ନଭେମ୍ବର ମାସରୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟ ଲିଗାଲ୍ ସର୍ଭିସ୍ କମିଟିର ଚେୟାରମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ତେବେ ଜଷ୍ଟିସ୍ ବି.ଆର. ଗଭାଇଙ୍କ କାର୍ଯ୍ୟକାଳ ସରିବା ପରେ ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ।