ନିସ ଇନ୍ଷ୍ଟିଚ୍ୟୁଟ୍ରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ
ଭୁବନେଶ୍ୱର :ଭୁବନେଶ୍ବର ମଦନପୁରସ୍ଥିତ ନିସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଡ୍ମିନିଷ୍ଟ୍ରେସନ ପରିସରରେ ଏମ୍ବିଏ ଓ ଏମ୍ସିଏ ବିଭାଗର ନବାଗତ ଛାତ୍ରଛାତ୍ରୀମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା ମହାସମାରୋହରେ ପାଳିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର (ଡ଼କ୍ଟର) ଅମୀୟ କୁମାର ରଥ ମୁଖ୍ୟ ଅତିଥି, ଟାଇମସ୍ ଅଫ୍ ଇଣ୍ଡିଆର ସିନିୟର ଏଡ଼ିଟର ଶ୍ରୀମତୀ ମିନତୀ ସିଂହା ଓ ଟାଟା କନ୍ସଲ୍ଟାନ୍ସି ସର୍ଭିସର ପ୍ରତିଭାବିକାଶ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ଅବିନାଶ ସାମଲ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସେମାନଙ୍କର ସାରଗର୍ଭକ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ନିସ୍ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ଼କ୍ଟର ସୁଭାଷ ଚନ୍ଦ୍ର ନାୟକ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଉନ୍ନତ ମାନର ଦକ୍ଷତା ଆହରଣ ଉପରେ ଧ୍ୟାନ ଦେବା ପାଇଁ ବକ୍ତବ୍ୟ ମାଧ୍ୟମରେ ପରାମର୍ଶ ଦେଇଥିଲେ । ନିସ୍ ଶିକ୍ଷାନୁଷ୍ଠାନର ସହସମ୍ପାଦିକା ପ୍ରଫେସର ସ୍ମୃତିସୁଧା ନାୟକ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ନୈତିକତା ମୂଲ୍ୟବୋଧର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ । ଉକ୍ତ ଉତ୍ସବରେ ଅନୁଷ୍ଠାନର ଡ଼େପୁଟି ଡ଼ାଇରେକ୍ଟର ଡ଼କ୍ଟର ଦୁଷ୍ମନ୍ତ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ କମ୍ପୁଟର ସାଇନସ୍ ବିଭାଗର ଅଧ୍ୟାପିକା ପ୍ରଫେସର ଶ୍ରଦ୍ଧାଞ୍ଜଳି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଏକାଡ଼େମି ଆଡ଼ଭାଇଜର ଡ଼କ୍ଟର ପ୍ରତାପ କୁମାର ତ୍ରିପାଠୀ, ଅଧ୍ୟକ୍ଷ ଡ଼କ୍ଟର ରାଜେଶ ସାଇଁ ଓ ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ ପ୍ରମୁଖ ଉପସ୍ଥିତ ଥିଲେ ।