ନୂଆଦିଲ୍ଳୀ (ଆମ ଟିଭି): ପୁଣି ଆକ୍ସନ ମୁଡ଼ରେ ଏନଆଇଏ । ଜାତୀୟ ତଦନ୍ତକାରୀ ଦଳ (ଏନ୍ଆଇଏ) ଦେଶର ପ୍ରାୟ ୭୨ଟି ସ୍ଥାନରେ ମଙ୍ଗଳବାର ସକାଳୁ ଚଢ଼ାଉ ଆରମ୍ଭ କରିଛି। ଏହି ଚଢ଼ାଉ ଆତଙ୍କବାଦୀଙ୍କ ସହ ସଂପୃକ୍ତି ଥିବା ଦେଶର ବିଭିନ୍ନ ଗ୍ୟାଙ୍ଗ୍ଷ୍ଟାର୍ମାନଙ୍କ ଠିକଣାରେ କରାଯାଇଛି। ଏବେ ସୁଦ୍ଧା ଏନ୍ଆଇଏ ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିଆଣା ଏବଂ ରାଜଧାନୀ ଦିଲ୍ଲୀରେ ଏହି ଚଢ଼ାଉ କରାଯାଉଛି। ୟୁପିର ଫିଲିଭିଟ୍ରେ ଏନ୍ଆଇଏ କର୍ମଚାରୀମାନେ ଜଣେ ଅସ୍ତ୍ର ଯୋଗଣାକାରୀଙ୍କ ଘରେ ଚଢ଼ାଉ କରୁଥିବା ସୂଚନା ରହିଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଚଢ଼ାଉ ସମୟରେ ଯୋଗାଣକାରୀର ଘରୁ ପାକିସ୍ଥାନରୁ ଆସିଥିବା ଅସ୍ତ୍ର ଜବତ ହୋଇଛି।
ପୂର୍ବରୁ ଗ୍ୟାଙ୍ଗ୍ଷ୍ଟାର୍ ଲରେନ୍ସ ବିଷ୍ନୋଇ ଏବଂ ନୀରଜ ବବାନା ଗ୍ୟାଙ୍ଗ୍ର କିଛି ସଦସ୍ୟଙ୍କୁ ଏନ୍ଆଇଏ ପଚରାଉଚରା କରି ଯେଉଁ ତଥ୍ୟ ସଂଗ୍ରହ କରିଥିବା ତାହାରି ଆଧାରରେ ଏହି ଚଢ଼ାଉ ହେଉଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଆଜି ହେଉଥିବା ଏହି ଚଢ଼ାଉରେ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇ ସାରିଲାଣି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସ୍ଆଇ ସହ ଗ୍ୟାଙ୍ଗ୍ଷ୍ଟାର୍ମାନଙ୍କ ସଂପୃକ୍ତି ସଂପର୍କରେ ସୂଚନା ପାଇବା ପରେ ଜାତୀୟ ତଦନ୍ତକାରୀ ଦଳ ଆଜିକୁ ମିଶାଇ ୪ ଥର ଚଢ଼ାଉ କରି ସାରିଲାଣି।