ଏନଆଇଏ ଜାରି କଲା ୧୯ଜଣ ପଳାତକ ଖଲିସ୍ତାନୀ ଆତଙ୍କବାଦୀଙ୍କ ତାଲିକା
ନୂଆଦିଲ୍ଲୀ (ଆମ ଟିଭି): ଗତ କିଛି ମାସ ହେବ ଖଲିସ୍ତାନୀ ଆତଙ୍କବାଦୀଙ୍କ ପ୍ରାର୍ଦୁଭାବବଢିବାରେ ଲାଗିଛି । ଏହାରି ଭିତରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଏନଆଇଏ ନେଇଛି ବଡ ଆକ୍ସନ୍ । ଭାରତ-କାନାଡା ବିବାଦ ଭିତରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଏବେ ତତ୍ପର ହୋଇଛି । ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ପଞ୍ଜାବରେ ନିଷିଦ୍ଧ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ)ର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁଙ୍କ ସମ୍ପତ୍ତି ଜବତ କରିବା ସହ ଅନ୍ୟ ୧୯ ଜଣ ପଳାତକ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ମଧ୍ୟ ସମାନ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ଏହି ପଳାତକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ମୋଟ ୧୯ ଜଣଙ୍କ ନାମ ରହିଛି।
ଏନଆଇଏର ଏହି ତାଲିକାରେ ଥିବା ସମସ୍ତ ନାମ ଭାରତରେ ମୋଷ୍ଟ ୱାଣ୍ଟେଡ୍ ଏବଂ ବ୍ରିଟେନ, ଆମେରିକା, କାନାଡା, ଦୁବାଇ, ପାକିସ୍ତାନ ସମେତ ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି । ୟୁଏପିଏର ଧାରା ୩୩(୫) ଅନୁଯାୟୀ ଭାରତରେ ଏହି ପଳାତକ ଖଲିସ୍ତାନୀଙ୍କ ସମ୍ପତ୍ତି ଜବତ କରାଯିବ। ଏହି ଖଲିସ୍ତାନୀ ଆତଙ୍କବାଦୀମାନେ ବିଦେଶ ମାଟିରୁ ଭାରତ ବିରୋଧୀ ପ୍ରଚାର ଚଳାଇଛନ୍ତି। ସୂଚନା ମୁତାବକ, ଜାତୀୟ ତଦନ୍ତକାରୀ ଏଜେନ୍ସି କିଛି ଦିନ ତଳେ ୪୩ ଜଣ ପଳାତକଙ୍କ ଆଉ ଏକ ତାଲିକା ଜାରି କରିଥିଲା ।