ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀଙ୍କୁ ପୁଲିସର ଜେରା । ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କୁ ଆଜି ଦିଲ୍ଲୀ ପୁଲିସ ନୋଟିସ ଜାରି କରି ଡାକିଥିଲା । ଏହାପରେ ସେ ଦିଲ୍ଲୀ ପାହାଡଗଞ୍ଜ ଥାନାରେ ହାଜର ହୋଇଛନ୍ତି । ପୁଲିସ ତାଙ୍କୁ ପଚରାଉଚରା ଜାରି ରଖିଛି ।
ଆପ୍ ନେତା ରାଜେନ୍ଦ୍ର ପାଲ ବିବାଦରେ ଫସିବା ପରେ ଦିଲ୍ଲୀ ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ପଦରୁ ଇସ୍ତଫା ସେ ଦେଇଥିଲେ । ହିନ୍ଦୁ ଦେବାଦେବୀଙ୍କ ପୂଜା ବିରୋଧରେ ଶପଥ ନେବା ମାମଲାରେ ପୁଲିସ ତାଙ୍କୁ ଆଜି ପଚରାଉଚରା କରୁଛି ।
ବାସ୍ତବରେ ବିଜୟାଦଶମୀ ଦିନ ଦିଲ୍ଲୀ କରୋଲ ବାଗ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ପାଲ୍ ଗୌତମ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଥିବା ଅଭିଯୋଗ ହୋଇଛି । ତାଙ୍କ ଉପସ୍ଥିତିରେ ହଜାର ହଜାର ଲୋକଙ୍କୁ ରାମ-କୃଷ୍ଣଙ୍କୁ ଭଗବାନ ନମାନିବା ଓ ତାଙ୍କୁ କେବେ ପୂଜା ନକରିବା ପାଇଁ ଶପଥ ଗ୍ରହଣ କରାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହାକୁ ନେଇ ବିବାଦ ଉପୁଜିଥିଲା । ରାଜେନ୍ଦ୍ର ଗøତମଙ୍କୁ ହିନ୍ଦୁ ସମାଜକୁ କ୍ଷମା ମାଗିବା ପାଇଁ ବିଜେପି ଦାବି କରିଥିଲା ।