ୟୁକ୍ରେନ ଫେରନ୍ତାଙ୍କୁ ଏନଏମସିର କ୍ଲିନଚିଟ୍, ବିଶ୍ୱର ଯେକୌଣସି ସ୍ଥାନରେ ପଢିପାରିବେ ଛାତ୍ରଛାତ୍ରୀ 

0

ନୂଆଦିଲ୍ଲୀ (ଆମ ଟିଭି): ୟୁକ୍ରେନ ଫେରନ୍ତାଙ୍କୁ ଏନଏମସିର କ୍ଲିନଚିଟ୍ । ବିଶ୍ୱର ଯେକୌଣସି ସ୍ଥାନରେ ପଢିପାରିବେ ଛାତ୍ରଛାତ୍ରୀ । ୟୁକ୍ରେନରେ ମେଡିକାଲ ଶିକ୍ଷା ଲାଭ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଆଶ୍ୱସ୍ତି ଆଣିଛି ନ୍ୟାଶନାଲ ମେଡିକାଲ କମିଶନ । ଋଷିଆ-ୟୁକ୍ରେନ ଯୁଦ୍ଧ ପାଇଁ ଅଧାରୁ ପାଠ ଛାଡି ଫେରିଆସିଥିବା ଛାତ୍ରଛାତ୍ରୀମାନେ ବିଶ୍ୱର ଯେକୌଣସି ସ୍ଥାନରେ ଶିକ୍ଷା ଗ୍ରହଣ ପାଇଁ ଆବେଦନ କରିପାରିବେ । ୟୁକ୍ରେନର ମେଡିକାଲ କଲେଜଗୁଡ଼ିକ ବିଦେଶୀ ଛାତ୍ରଛାତ୍ରୀଙ୍କୁ ମୋବିଲିଟି ବା ଟ୍ରାନ୍ସଫର ପ୍ରୋଗ୍ରାମ ନେବାକୁ ପରାମର୍ଶ ଦେଇଥିଲା । ଏହା ପରେ ଏନ୍‌ଏମ୍‌ସି ବିଦେଶ ମନ୍ତ୍ରଣାଳୟ ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ନେଇଛି । ଏନ୍‌ଏମ୍‌ସି ଏହାକୁ ଟେମ୍ପରାରୀ ରି-ଲୋକେସନ (ଅସ୍ଥାୟୀ ସ୍ଥାନାନ୍ତରଣ)ବୋଲି ଦର୍ଶାଇଛି । ଅର୍ଥାତ ଛାତ୍ରଛାତ୍ରୀମାନେ ଅନ୍ୟ କୌଣସି ଦେଶର ମେଡିକାଲ କଲେଜରେ କୋର୍ସ ସମ୍ପୂର୍ଣ୍ଣ କଲେ ମଧ୍ୟ ସେମାନଙ୍କୁ ୟୁକ୍ରେନର ସେହି ୟୁନିର୍ଭସିଟି ଡିଗ୍ରୀ ପ୍ରଦାନ କରିବ ଯେଉଁଠାରେ ସେମାନେ ପ୍ରଥମେ ନାମ ଲେଖାଇଛନ୍ତି । ଯୁଦ୍ଧ ଯୋଗୁ ୟୁକ୍ରେରୁ ଫେରିଥିବା ଛାତ୍ରଛାତ୍ରୀ ଅସ୍ଥାୟୀ ଭାବେ ସେମାନଙ୍କୁ ଭାରତର ଘରୋଇ ମେଡିକାଲ କଲେଜରେ ସିଟ୍‌ ଦେବାକୁ ଦାବି କରିଥିଲେ । କିନ୍ତୁ ଏନ୍‌ଏମ୍‌ସି କିମ୍ବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ଏହି ଦାବି ଉପରେ କୌଣସି ସ୍ପଷ୍ଟ ଘୋଷଣା କରାଯାଇନାହିଁ ।

ଏହା ପୂର୍ବରୁ ଏନ୍‌ଏମ୍‌ସି ଏକ ଆଦେଶଜାରି କରି କହିଥିଲା କି କୋର୍ସ ସମୟରେ ପୂରା ସିଲାବସ୍‌ ପାଠପଢ଼ା, ଟ୍ରେନିଂ ଓ ଇଣ୍ଟର୍ନସିପ ଗୋଟିଏ କଲେଜରେ ପୂରା କରାଯାଇପାରିବ । ଅର୍ଥାତ ପାଠପଢ଼ା, ଟ୍ରେନିଂ କିମ୍ବା ଇଣ୍ଟର୍ନସିପର କୌଣସି ଭାଗ ଭିନ୍ନ କଲେଜ କିମ୍ବା ୟୁନିଭର୍ସିଟିରେ କରିହେବ ନାହିଁ । ଯଦିଓ ୟୁକ୍ରେନର କିଛି ମେଡିକାଲ କଲେଜ ଖୋଲିଲାଣି ତଥାପି ସେଠାକାର ସ୍ଥିତିକୁ ଦେଖି ଭାରତୀୟ ଛାତ୍ରଛାତ୍ରୀ ଯିବାକୁ ଭୟ କରୁଛନ୍ତି । ଅଧିକାଂଶ ଛାତ୍ରଛାତ୍ର ଅନ୍‌ଲାଇନରେ କ୍ଲାସ କରୁଛନ୍ତି । କିନ୍ତୁ ଏନ୍‌ଏମ୍‌ସି କେବଳ ଅନ୍‌ଲାଇନରେ ଥିଓରୀ କ୍ଲାସକୁ ସ୍ୱୀକୃତି ଦେଇଛି । ସେହିଭଳି ଅଳ୍ପ କିଛି ପ୍ରାକ୍ଟିକାଲକୁ ଅନୁମତି ଦିଆଯାଇଛି । ତେଣୁ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ଅନ୍ୟ ବିକଳ୍ପ ଚାହୁଁଛନ୍ତି ।ଭାରତରେ ଏମ୍‌ବିବିଏସ୍‌ ଡିଗ୍ରୀ ଭଲ ରୋଜଗାରର ଗ୍ୟାରେଣ୍ଟି ଦେଇଥାଏ ।

ଦେଶରେ ବର୍ତ୍ତମାନ ପ୍ରାୟ ୮୮ ହଜାର ମେଡିକାଲ ସିଟ୍‌ ରହିଛି । କିନ୍ତୁ ୨୦୨୧ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍‌’ରେ ପ୍ରାୟ ୮ ଲକ୍ଷ ଛାତ୍ରଛାତ୍ରୀ ବସିଥିଲେ । ଅର୍ଥାତ ପ୍ରତିବର୍ଷ ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପ୍ନ ଅଧୁରା ରହିଯାଉଛି । ତେଣୁ ଡାକ୍ତର ହେବାର ସ୍ୱପ୍ନ ପୂରଣ କରିବା ଲାଗି ପ୍ରତିବର୍ଷ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ ଅନ୍ୟ ଦେଶକୁ ଯାଇ ସେଠାରେ ଡାକ୍ତରୀ ପଢ଼ୁଛନ୍ତି । ବିଦେଶୀ ମେଡିକାଲ କଲେଜରେ ନାମଲେଖା ପାଇଁ କୌଣସି ଡୋନେସନ ଦେବାକୁ ପଡ଼ିନଥାଏ । ସେହିଭଳି ନାମଲେଖାଇବା ଲାଗି କୌଣସି ପ୍ରବେଶିକା ପରୀକ୍ଷା ମଧ୍ୟ ହୋଇନଥାଏ । ଭାରତ ଠାରୁ ୟୁକ୍ରେନର ମେଡିକାଲ କଲେଜରେ ପଢ଼ିବା ଖର୍ଚ୍ଚ ମଧ୍ୟ ବହୁତ କମ । ଭାରତରେ ଘରୋଇ ମେଡିକାଲ କଲେଜରେ ପଢ଼ିବାର ଖର୍ଚ୍ଚ ପାଖାପାଖି ୧ କୋଟି ଟଙ୍କା ହୋଇଥାଏ । କିନ୍ତୁ ୟୁକ୍ରେନରେ ମାତ୍ର ୨୫ ଲକ୍ଷ ଟଙ୍କାରେ ଡାକ୍ତରୀ ପାଠପଢ଼ିବା ସମ୍ଭବ ହୋଇଥାଏ ।

Leave A Reply

Your email address will not be published.