ଆଉ ମିଳିବ ନାହିଁ ସଂସଦ ପାସ

0

ବୁଧବାର ସଂସଦର ସୁରକ୍ଷାରେ ସାଂଘାତିକ ତ୍ରୁଟି ପୂରା ଦେଶକୁ ଆଚମ୍ବିତ କରି ଦେଇଛି। ଦୁଇ ଜଣ ଯୁବକ ଲୋକସଭା କାର୍ଯ୍ୟ ଚାଲିଥିବା ବେଳେ ଗୃହର ମଧ୍ୟ ଭାଗକୁ ଡେଇଁ ବେଶ କିଛି ସମୟ ହଙ୍ଗାମା କରିଥିଲେ।

ସେମାନେ ହଳଦିଆ ରଙ୍ଗର ଧୂଆଁ ମାଡ଼ କରିଥିଲେ। ପୂରା ଲୋକସଭା ଧୂଆଁ ମୟ ହୋଇଯାଇଥିଲା। ଏହି ସୁରକ୍ଷା ତ୍ରୁଟି ପରେ ଭିଜଟରଙ୍କ ପାଇଁ ସଂସଦ କମ୍ପ୍ଲେକ୍ସକୁ ବନ୍ଦ କରି ଦିଆଯାଇଛି। ଏହାର ଅର୍ଥ କୌଣସି ବାହାର ଲୋକଙ୍କୁ ସଂସଦରେ ପ୍ରବେଶ କରିବା ପାଇଁ ଏବେ ଆଉ ପାସ୍‌ ମିଳିବ ନାହିଁ। ଏଥିସହ ସଂସଦର ସୁରକ୍ଷା ନିୟମରେ ଏକାଧିକ ପରିବର୍ତ୍ତନ କରାଯାଇଛି।

ସୁରକ୍ଷା ପ୍ରୋଟକଲକୁ ସଂସଦ ପକ୍ଷରୁ ଆହୁରି ସୁଦୃଢ଼ କରାଯାଇଛି। ସାଂସଦ, କର୍ମଚାରୀ ଓ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥର ବ୍ୟବସ୍ଥା କରାଯିବ। ସାଂସଦମାନେ ମୁଖ୍ୟ ଗେଟ୍‌ ଦେଇ ସଂସଦ ଭିତରକୁ ଯିବେ। ସେହିପରି ଭିଜଟରମାନଙ୍କୁ ପରବର୍ତ୍ତୀ ଅବସ୍ଥାରେ ଅନୁମତି ମିଳିଲେ, ସେମାନେ ୪ର୍ଥ ଗେଟ୍‌ରେ ହିଁ ସଂସଦ ଭିତରେ ପ୍ରବେଶ କରିପାରିବେ ।

ନୂଆ ସୁରକ୍ଷା ନିୟମ ଅନୁଯାୟୀ, ଭିଜଟର ଗ୍ୟାଲେରୀରେ ଏଣିକି କାଚ ଲାଗିବ। ଫଳରେ କୌଣସି ଲୋକ ଆଉ ଲୋକସଭା ଚ୍ୟାମ୍ବର ମଧ୍ୟକୁ ସେଠାରୁ ଡେଇଁ ପାରିବେ ନାହିଁ। ଏହାବାଦ ଏୟାରପୋର୍ଟରେ ଯେଉଁଭଳି ବଡି ସ୍କାନ ମେସିନ ରହିଛି, ସଂସଦରେ ମଧ୍ୟ ସେହି ପ୍ରକାରର ବ୍ୟବସ୍ଥା କରାଯିବ। ଏବେ ସଂସଦ ଭିତରେ ଯେତିକି ସଂଖ୍ୟକ ସୁରକ୍ଷାକର୍ମୀ ରହୁଛନ୍ତି, ତା’ଠାରୁ ଅଧିକ କର୍ମଚାରୀଙ୍କୁ ମୁତୟନ କରାଯିବ ବୋଲି ପରବର୍ତ୍ତିତ ନିୟମରେ କୁହାଯାଇଛି।

Leave A Reply

Your email address will not be published.