ସୁପ୍ରିମକୋର୍ଟଙ୍କ ଉପରେ ଆଉ ଭରସା ନାହିଁ: କପିଲ ସିବଲ
ନୂଆଦିଲ୍ଲୀ(ଆମ ଟିଭି): ସୁପ୍ରିମକୋର୍ଟଙ୍କ କିଛି ସଦ୍ୟ ରାୟକୁ ନେଇ ବରିଷ୍ଠ ଓକିଲ କପିଲ ସିବଲଙ୍କ ବିବାଦିୟ ବୟାନ ପରେ ଆରମ୍ଭ ହୋଇଛି ରାଜନୀତି। ଏନେଇ ବିଜେପି ନେତା ଓ ସୁପ୍ରିମକୋର୍ଟ ଓକିଲ ନଲୀନ କୋହଲି କପିଲ ସିବଲଙ୍କୁ ଟାର୍ଗେଟ କରିଛନ୍ତି। ସିବ୍ବଲ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ନିକଟରୁ ଆଉ କୌଣସି ଭରସା ରଖିହେବ ନାହିଁ। ଗୁଜୁରାଟ ଦଙ୍ଗାରେ ଏସଆଇଟିକୁ କ୍ଲିନ୍ ଚିଟ୍ ଦେବା ଉପରେ ଚ୍ୟାଲେଞ୍ଜ କରାଯାଇଥିବା ଯାଚିକା ଖାରଜ କରିବା ଓ ମନି ଲଣ୍ଡରିଂ ଆଇନର ନିୟମାବଳୀକୁ ସମର୍ଥନ କରିବା ଉପରେ ମଧ୍ୟ ସିବଲ ଆଲୋଚନା କରିଛନ୍ତି। ସିବଲ କହିଛନ୍ତି, ସୁପ୍ରିମକୋର୍ଟରେ ୫୦ ବର୍ଷ ଯାଏ ଅଭ୍ୟାସ କରିବା ପରେ ମଧ୍ୟ କୋର୍ଟରୁ ଆଉ କୌଣସି ଭରସା ରଖିହେଉ ନାହିଁ। କପିଲ ସିବଲ ଏକ ପିପୁଲ୍ସ ଟ୍ରିବ୍ୟୁନାଲରେ ଏଭଳି କହିଛନ୍ତି।
ଅଗଷ୍ଟ ୬ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା କ୍ୟାମ୍ପିଲ ଫର ଜୁଡିସିଆଲ୍ ଆକାଉଣ୍ଟେବିଲିଟି ଆଣ୍ଡ ରିଫର୍ମ (ସିଜେଆର), ପିପୁଲ୍ସ ୟୁନିଅନ୍ ଫର ସିଭିଲ୍ ଲିବର୍ଟିସ୍ (ପିୟୁସିଏଲ୍) ଏବଂ ନ୍ୟାସନାଲ୍ ଆଲାୟନ୍ସ ଅଫ୍ ପିପୁଲ୍ସ ମୁଭମେଣ୍ଟସ୍ (NAPM) ଦ୍ୱାରା “ଜୁଡିସିଆଲ୍ ରୋଲବ୍ୟାକ୍ ଅଫ୍ ସିଭିଲ୍ ଲିବର୍ଟିସ୍” । ଟ୍ରିବ୍ୟୁନାଲର ଫୋକସ୍ ରହିଥିଲା ଗୁଜୁରାଟ ଦଙ୍ଗା (୨୦୦୨) ଏବଂ ଛତିଶଗଡ ଆଦିବାସୀ ଜନଶୁଣାଣି (୨୦୦୯) ଉପରେ ସୁପ୍ରିମକୋର୍ଟଙ୍କ ୨୦୨୨ର ରାୟ। ସିବ୍ବଲ କହିଛନ୍ତି ଯେ ସ୍ୱାଧୀନତା ସେତେବେଳେ ସମ୍ଭବ ହେବ, ଯେତେବେଳେ ଆମେ ଅଧିକାରୀ ପାଇଁ ଛିଡ଼ା ହେବା ଓ ସ୍ୱାଧୀନତା ପାଇଁ ଦାବି କରିବା। ଏନେଇ ନଲୀନ କୋହଲି କହିଛନ୍ତି, ଏକ ଜଜ୍ମେଣ୍ଟରେ ତାଙ୍କ ଅସହମତି ଯଦି ହେଉଛି ତେବେ କପିଲ ସିବଲ ନିଜ ବିଚାର ରଖିପାରିବେ। ହେଲେ ପୂରା ସଂସ୍ଥାକୁ ଟାର୍ଗେଟ କରିବା ଠିକ୍ ହେବ ନାହିଁ। କୋଟି କୋଟି ଲୋକ ଏହି ଦେଶରେ ସୁପ୍ରିମକୋର୍ଟଙ୍କୁ ଭରସା କରୁଛନ୍ତି।