ବାଲେଶ୍ବର ବିଜେପିରେ ରବୀନ୍ଦ୍ର ଜେନାଙ୍କ ସାମିଲ୍ ପରେ ବିଜେପିରେ ଅସନ୍ତୋଷକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏ ନେଇ ଆଜି ମୁହଁ ଖୋଲିଲେ ବରିଷ୍ଠ ନେତା ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି ରବୀନ୍ଦ୍ରଙ୍କୁ ଦଳରେ ସାମିଲ କରିବା ନେଇ ମୋତେ କେହି ସହମତି ମାଗିନାହାନ୍ତି। ରାଜ୍ୟ ସଭାପତି ତାଙ୍କୁ ଦଳରେ ମିଶାଇଛନ୍ତି। ତେଣୁ ଦଳ ତାଙ୍କୁ ଗ୍ରହଣ କରିସାରିଛି। କିନ୍ତୁ ତାଙ୍କୁ ସାମିଲ କରାଯିବା ଦ୍ୱାରା ଦଳର ଆଗକୁ କିଛି ଲାଭ ହେବ ବୋଲି ମୁଁ ଭାବୁନାହିଁ । ମିଶିବା ପୂର୍ବ ଦିନ ତାଙ୍କୁ ଫୋନ୍ କରିଥିଲେ ରବୀନ୍ଦ୍ର ଜେନା । ମୋତେ ଭେଟିବାକୁ ବି ସମୟ ମାଗିଥିଲେ । ସିଏ ତାଙ୍କ ଭୂମିକା ବଦଳାଇଛନ୍ତି। ମୁଁ କିନ୍ତୁ ସ୍ଥିର। ସେ ପାର୍ଟି ଲାଇନରେ ରହି କେତେ ଦୂର କାମ କରିପାରିବେ, ତାହା ଆଗକୁ ଜଣାପଡ଼ିବ। ତେଣୁ କିଛି ବୁଝାମଣା ହୋଇଛି କି ନାହିଁ ମୁଁ ଅନୁମାନ କରିପାରିବି ନାହିଁ।
ସେହିପରି ବହୁଚର୍ଚ୍ଚିତ ସି-ସୋର୍ ଚିଟ୍ଫଣ୍ଡ୍ କେଳେଙ୍କାରୀ ମାମଲାକୁ ନେଇ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ମୋର ବିଚାରଧାରା ହେଉଛି ମାନ୍ୟବର ମୋଦିଜୀ ଯାହା କହିଛନ୍ତି ନା ଖାଉଙ୍ଗା ନା ଖାନେ ଦୁଙ୍ଗା। ସିଏ ଯୋଇ ଦଳର ହେଉ ଦୁର୍ନୀତି ଯିଏ କରିବ ମୁଁ ତାକୁ ଛାଡ଼ିବିନି ।
ଏହାରି ମଧ୍ୟରେ ଜୀବନ ପ୍ରଦୀପ ଦାସ ବିଜେପି ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହୋଇଛି । ରବୀନ୍ଦ୍ର ଜେନା ବିଜେପିରେ ମିଶିବା ପରେ ଦଳର କିଛି ନେତା ଅସନ୍ତୁଷ୍ଟ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଜୀବନ ପ୍ରଦୀପ ଦାସ। ଆଜି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ପରେ ବଢ଼ିଲା ଚର୍ଚ୍ଚା । ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଜୀବନ ପ୍ରଦୀପ ଦାସ ଦଳ ଛାଡ଼ିବେ କହୁଥିଲେ, ମୁଁ ତାଙ୍କୁ ବୁଝେଇଲି । ପାର୍ଟିକୁ ଯିବାଆସିବା ଲାଗି ରହିବ। ଆମେ ଯେଉଁମାନେ ପାର୍ଟିର ସିଦ୍ଧାନ୍ତ, ନୀତି ଓ ଆଦର୍ଶରେ ବିଶ୍ୱାସ କରନ୍ତି, ଯେଉଁମାନେ ପାର୍ଟିର ଉତ୍ସର୍ଗୀକୃତ କର୍ମୀ, ସେମାନେ ବୁଝିବା ଉଚିତ୍ ଯେ ଆମେ ପାର୍ଟିକୁ ଅସହାୟ କରିପାରିବାନି। କିନ୍ତୁ ଆଜି ସଂଧ୍ୟାରେ ପ୍ରେସମିଟ୍ ଡାକିପାରନ୍ତି ଜୀବନ ପ୍ରଦୀପ ଦାସ ।
ସୂଚନା ଯୋଗ୍ୟ; ଦୁଇ ଦିନ ତଳେ ବିଜେପିରେ ମିଶିଛନ୍ତି ପୂର୍ବତନ ବାଲେଶ୍ୱର ସାଂସଦ ତଥା ବିଜେଡି ନେତା ରବୀନ୍ଦ୍ର କୁମାର ଜେନା। ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଥିଲେ। ମିଶ୍ରଣ ପର୍ବର ମଞ୍ଚରେ ଦଳର ପ୍ରମୁଖ ନେତା ବୃନ୍ଦ ଉପସ୍ଥିତ ଥିଲେ। ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଦେଖିବାକୁ ମିଳି ନଥିଲା। ଏହା ପରେ ଦଳ ଭିତରେ ଅସନ୍ତୋଷକୁ ନେଇ ଚର୍ଚ୍ଚା ଜୋର ଧରିଲା ।