ବିଶ୍ୱର କୌଣସି ଶକ୍ତି ଅନୁଚ୍ଛେଦ ୩୭୦କୁ କରିପାରିବ ନାହିଁ ପୁନଃ ଅବସ୍ଥାପିତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରେ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବି ଜୋର ଧରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍‌କୁ ଟାର୍ଗେଟ କରିଛନ୍ତି। ଇଣ୍ଡିଆ ବ୍ଲକ୍‌ ଜମ୍ମୁ-କଶ୍ମୀରକୁ ସମ୍ବିଧାନ ପରିସର ବାହାରେ ରଖିବା ପାଇଁ ଚାହୁଁଥିବା ସେ କହିଛନ୍ତି। କେବଳ ଏତିକି ନୁହେଁ, ପୃଥିବୀରେ ଏଭଳି କୌଣସି ଶକ୍ତି ନାହିଁ, ଯିଏ ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିପାରିବ ବୋଲି ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନାସିକରେ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଇଣ୍ଡିଆ ବ୍ଲକ୍‌ ନେତାମାନେ ଦଳିତ ଓ ଆଦିବାସୀଙ୍କୁ ଉସୁକାଇବା ପାଇଁ ସାଦା ବହି ଦେଖାଇ ତାକୁ ସମ୍ବିଧାନର ଆଖ୍ୟା ଦେଉଛନ୍ତି। କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ପାକିସ୍ତାନୀ କାର୍ଯ୍ୟସୂଚୀକୁ ପ୍ରୋତ୍ସାହିତ କରିବା ସହ ବିଚ୍ଛିନ୍ନତାବାଦୀଙ୍କ କଥା କହୁଛନ୍ତି। ତାଙ୍କ ଉପରେ ଲୋକଙ୍କ ଆଶୀର୍ବାଦ ଥିବାରୁ ବିରୋଧୀଙ୍କ ଏଭଳି ଏଜେଣ୍ଡା ସଫଳ ହେବ ନାହିଁ। କେବଳ ଆମ୍ବେଡ୍‌କରଙ୍କ ସମ୍ବିଧାନକୁ ଜମ୍ମୁ-କଶ୍ମୀର ମାନି ଚଳିବ।

ଜମ୍ମୁ-କଶ୍ମୀର ବିଧାନସଭାରେ ଭାଜପା ବିଧାୟକମାନେ ସଂକଳ୍ପନାମାକୁ ବିରୋଧ କରି ବିକ୍ଷୋଭ କରୁଥିବାବେଳେ ଗୃହରୁ ସେମାନଙ୍କୁ ଧକ୍କା ମାରି ବାହାର କରିଦିଆଯାଇଥିଲା। କଂଗ୍ରେସ ଜାତି ତଥା ସମୁଦାୟଗୁଡ଼ିକୁ ବିଭାଜିତ କରି ବିପଜ୍ଜନକ ଖେଳ ଖେଳୁଛି। ଯଦି ତଫସିଲଭୁକ୍ତ ଜନଜାତି (ଏସ୍‌ଟି), ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏକତ୍ରିତ ହୁଅନ୍ତି, ତେବେ କଂଗ୍ରେସର ରାଜନୀତି ଶେଷ ହୋଇଯିବ। କଂଗ୍ରେସ ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ଏକତାକୁ ଦୁର୍ବଳ କରିବା ସହ ଏହି ସମୁଦାୟଗୁଡ଼ିକୁ ପରସ୍ପର ବିରୋଧରେ ଲଢ଼ାଉଛି। ବର୍ତ୍ତମାନ ଗାନ୍ଧୀ-ନେହେରୁ ପରିବାରର ଚତୁର୍ଥ ପିଢ଼ିର ଯୁବରାଜ (ରାହୁଲ ଗାନ୍ଧୀ) ଜାତି ବିଭାଜନ ପାଇଁ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.