ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

0

ଭୁବନେଶ୍ୱର : ଏଣିକି e-KYC ବିନା ମିଳିବନି ସିଲିଣ୍ଡର । ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ । ଲକ୍ଷ ଲକ୍ଷ LPG ଗ୍ରାହକଙ୍କ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏବେଠାରୁ ସବସିଡି ଯୁକ୍ତ ସିଲିଣ୍ଡର ପାଇବା ପାଇଁ e-KYC କରିବା ବାଧ୍ୟତାମୂଳକ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅନେକ ସମୟରେ ଘରୋଇ ସିଲିଣ୍ଡରକୁ ବାହାରେ ଚୋରା ଦରରେ ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରାଯାଉଛି । e-KYC ହେଲେ ଏହା ଉପରେ ରୋକ ଲାଗିବ । ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ ଗ୍ୟାସ କନେକ୍ସନ କିମ୍ବା ମୃତ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ଗ୍ୟାସ ସଂଯୋଗ ଗୁଡ଼ିକୁ ବନ୍ଦ କରାଯିବ।

ଯେଉଁମାନେ ପ୍ରକୃତରେ ସବସିଡି ପାଇବାକୁ ଯୋଗ୍ୟ, ସେମାନଙ୍କ ପାଖରେ ଯେପରି ସୁବିଧା ପହଞ୍ଚିବ, ତାହା ସୁନିଶ୍ଚିତ କରାଯିବ । ଏଥିସହ ବଜାରରେ ଖୋଲାଖୋଲି ଭାବେ ବିକ୍ରି ହେଉଥିବା ୧ କେଜି ଏବଂ ୫ କେଜି LPG ସିଲିଣ୍ଡର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । କଳାବଜାରୀ କରୁଥିବା ଲୋକଙ୍କ ବିରୋଧରେ ରାଜ୍ୟବ୍ୟାପୀ ଚଢ଼ାଉ ଜାରି ରହିଛି। ଯୋଗ୍ୟ ପରିବାର ପାଖରେ ସ୍ୱଚ୍ଛ ଭାବେ ରନ୍ଧନ ଗ୍ୟାସ ପହଞ୍ଚାଇବା ଏବଂ ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହେଉଛି ମୂଳ୍ୟଲକ୍ଷ୍ୟ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗ୍ରାହକମାନେ ତିନୋଟି ସରଳ ଉପାୟରେ ନିଜର e-KYC ପ୍ରକ୍ରିୟା ଶେଷ କରିପାରିବେ ।

LPG ବିତରକ ଶୋ’ରୁମ୍ କୁ ଯାଇ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ସାହାଯ୍ୟରେ ବାୟୋମେଟ୍ରିକ୍ ଦେଇ ଏହାକୁ କରିପାରିବେ । www.mylpg.in ୱେବସାଇଟକୁ ଯାଇ ନିଜର ଗ୍ୟାସ କମ୍ପାନୀ ଚୟନ କରି e-KYC କରିପାରିବେ । ଗ୍ୟାସ କମ୍ପାନୀଗୁଡ଼ିକର ଅଫିସିଆଲ୍ ଆପ୍ ମାଧ୍ୟମରେ ମଧ୍ୟ ଘରେ ବସି e-KYC କରାଯାଇପାରିବ । ଯଦି ସମୟ ସୀମା ମଧ୍ୟରେ e-KYC ଶେଷ କରୁନାହାନ୍ତି, ତେବେ ଆଗକୁ ଗ୍ରାହକଙ୍କୁ ସିଲିଣ୍ଡର ବୁକିଂ କରିବାରେ ଅସୁବିଧା ହୋଇପାରେ କିମ୍ବା ଗ୍ୟାସ ସବସିଡି ବନ୍ଦ ହୋଇପାରେ ।

Leave A Reply

Your email address will not be published.