ନୂପୁର ଶର୍ମାଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ
ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅତ୍ୟନ୍ତ ଅଭଦ୍ର ଟିପ୍ପଣୀ କରି ବିଜେପିରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କୁ ମିଳିଛି ବନ୍ଧୁକ ରଖିବା ପାଇଁ ଲାଇସେନ୍ସ। ଦିଲ୍ଲୀ ପୁଲିସ୍ ପକ୍ଷରୁ ଆତ୍ମରକ୍ଷା ପାଇଁ ନୂପୁରଙ୍କୁ ଏପରି ଲାଇସେନ୍ସ ଦିଆଯାଇଛି। ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ସେ ଅଭଦ୍ର ଟିପ୍ପଣୀ କରିଥିବାରୁ ତାଙ୍କ ନାଁରେ ଏକାଧିକ ମାମଲା ହୋଇଥିଲା। ଏହାର ତଦନ୍ତ ଦିଲ୍ଲୀ ପୁଲିସ୍ କରୁଛି।
ଏସବୁ ଭିତରେ ନୂପୁରଙ୍କୁ ବିଭିନ୍ନ ସ୍ଥାନରୁ ବାରମ୍ବାର ହତ୍ୟା ଧମକ ମିଳୁଥିବା ଅଭିଯୋଗ ହୋଇଛି। ଧମକ ମିଳୁଥିବାରୁ ସେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ରକ୍ଷା କରି ଦିଲ୍ଲୀ ପୁଲିସ୍ ତାଙ୍କୁ ଲାଇସେନ୍ସ ପ୍ରଦାନ କରିଛି।
ନୂପୁର ୨୦୨୨ ମସିହା ଜୁନ ମାସରେ ବିବାଦୀୟ ଟିପ୍ପଣୀ କରିଥିଲେ। ସେ ଗୋଟିଏ ଟିଭି ଚ୍ୟାନେଲ ବିତର୍କରେ ବିଜେପି ପାଇଁ ଓକିଲାତି କରୁଥିବା ବେଳେ ପ୍ରଫେଟଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରିଥିଲେ। ଏହାକୁ ନେଇ ପୂରା ଦେଶରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ବିଦେଶ ରାଷ୍ଟ୍ର ମଧ୍ୟ ଏଥିପାଇଁ ଭାରତ ସରକାରଙ୍କ ଆଗରେ ନିଜର ଅସନ୍ତୋଷ ଜାହିର କରିଥିଲେ।
ଭାରତ ସରକାର ନୂପୁରଙ୍କ ଠାରୁ ଦୂରତା ଅବଲମ୍ବନ କରିବା ସହ ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ତାଙ୍କ ସମର୍ଥନରେ ବାହାରିଥିବା ଦିଲ୍ଲୀ ବିଜେପିର ନବୀନ ଜିନ୍ଦଲଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଥିଲା। ଅସନ୍ତୋଷ ପ୍ରଶମିତ କରିବାକୁ ବିଜେପି ଚେଷ୍ଟା କରିଥିଲେ ମଧ୍ୟ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।