ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର “ପରୀ”, ୨୦ଟି ପ୍ରେକ୍ଷାଳୟରେ ଭରପୁର ଦର୍ଶକ
ଭୁବନେଶ୍ବର (ଆମ ଟିଭି): ଅନେକ ବାଦ ବିବାଦର ଅନ୍ତ ଘଟାଇ ନୂଆ ଓଡିଆ ଚଳଚ୍ଚିତ୍ର “ପରୀ” ସାରା ଓଡ଼ିଶାରେ ୨୦ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଭୁବନେଶ୍ୱରସ୍ଥିତ ସ୍ତୁତି ସିନେପ୍ଲେକ୍ସରେ ଏହାର ପ୍ରିମିୟର ଶୋ ହୋଇଥିଲା l ଅନେକ ସିନେ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର ଏବଂ ସିନେ ସମୀକ୍ଷକ ଦର୍ଶକଙ୍କ ସହିତ ଏକାଠି ପରୀ ଦେଖିଥିଲେ l
ପରୀ କୁ ପ୍ରଯୋଜନା କରିଛନ୍ତି ସଞ୍ଜୟ ମହାନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି ସାହୁ l ସଂଳାପ ଡଃ ରଜନୀ ରଞ୍ଜନ ଲେଖିଥିବା ବେଳେ ପ୍ରମୋଦ ପରିଡା ଙ୍କ ରଚିତ ଗୀତ ଗୁଡିକୁ ଜାପାନୀ ଭାଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ରୁକୁ ସୁନା, ଡାକ୍ତର ରୋହନ ବିଶ୍ୱାଳ କଣ୍ଠଦାନ କରିଛନ୍ତି l କୋରିଓଗ୍ରାଫର ଅମିତ ନାୟକ ଏବଂ ଏସ୍ କେ ମୁରଲୀଧରନ୍ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି l ମୁଖ୍ୟ ଚରିତ୍ରରେ ନାୟକ ଜ୍ୟୋତି ରଞ୍ଜନ ନାୟକ, ନାୟିକା ଅନୁରାଧା ପାଣିଗ୍ରାହୀ ରହିଛନ୍ତି l ଜ୍ୟୋତି ଏବଂ ଅନୁରାଧା ଙ୍କ କେମେଷ୍ଟ୍ରି କୁ ଦର୍ଶକ ଢେର ପ୍ରଶଂସା କରିଛନ୍ତି l

ସମାଜରେ କ୍ରମାଗତ ଭାବରେ କୋମଳମତି ଶିଶୁମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି l “ପରୀ” ଏକ ନିରୀହ, କୋମଳ ଫୁଲ କଢି l ତାକୁ ନେଇ ଅନେକ ସ୍ୱପ୍ନ ଥାଏ ବାପାମାଆଙ୍କର l ମାତ୍ର ଅକାଳରେ ସେ ଝରି ପଡେ କିଛି ଯୌନ ରାକ୍ଷସଙ୍କ ଅତ୍ୟାଚାରରେ l ପଇସା, ପ୍ରତିଷ୍ଠା, ରାଜନୀତି ଆଗରେ କ୍ଷୀଣ ପଡିଯାଏ ବିଚରା ବାପାମାଆଙ୍କର l ହେଲେ ପରିଶେଷରେ କ’ଣ ପରୀକୁ ନ୍ୟାୟ ମିଳିଛି? ଏଭଳି ଏକ ସ୍ପର୍ଶକତାର କାହାଣୀ ଉପରେ ପରୀ ର କାହାଣୀ ଗତିଶୀଳ l
କାହାଣୀ ରଚନା ସହିତ ପ୍ରଯୋଜନା କରିଛନ୍ତି ସଞ୍ଜୟ ମହାନ୍ତି l ସହ ନିର୍ମାତା ରହିଛନ୍ତି ଚନ୍ଦନ ସ୍ୱାଇଁ ଏବଂ ଅନିଲ ବଳିୟାରସିଂହ l ଧ୍ରୁବାନନ୍ଦ ପଣ୍ଡା (ଲିଟୁ) ଡିଓପି ରହିଥିବା ବେଳେ ଚନ୍ଦ୍ରଶେଖର ମିଶ୍ର ପରୀ ର ସମ୍ପାଦନା କରିଛନ୍ତି l
ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ରହିଛନ୍ତି l ଶ୍ରୀତମ ଦାସ, ନୀଳମଣି ସାହୁ, ପ୍ରଦ୍ୟୁମ୍ନ ଲେଙ୍କା, ସୌମ୍ୟ ଅଧିକାରୀ, ଗୁଡ୍ଡୁ, ଜଗନ୍ନାଥ ସାହୁ, ନରେଶ ରାଉତରାୟ, ନିରଞ୍ଜନ ଆଚାର୍ଯ୍ୟ, ବିଶାଲ, ପପି ସାନ୍ତୁକା, ଶିଶୁ କଳାକାର ଦିବ୍ୟାଂଶୀ ଓ ସ୍ନେହାଙ୍କ ଭଳି ଅନେକ କଳାକାର ଅଭିନୟ କରିଛନ୍ତି l
ପରୀ ଦେଖିବା ପରେ ଦର୍ଶକମାନଙ୍କ ମଧ୍ୟରେ ଏକ ଜାଗ୍ରତ ଭାବ ପରିଲକ୍ଷିତ ହୋଇଛି l ପରୀ କେବଳ ଜଣଙ୍କର ନୁହେଁ ବରଂ ପରୀ ଏ ସମାଜର ବୋଲି ଦର୍ଶକ ଅନୁଭବ କରିଛନ୍ତି l ପରୀ ଚଳଚ୍ଚିତ୍ର ସମାଜ ପାଇଁ ଏକ ବାର୍ତ୍ତା ବୋଲି ଅନେକ ଦର୍ଶକ ଭାବ ବିହ୍ଵଳ ହୋଇ ମତ ଦେଇଥିଲେ l ତେବେ ମୁକ୍ତିଲାଭ ଦିନର ଭିଡ଼ ଏବଂ ଦର୍ଶକଙ୍କର ଭଲ ପାଇବା ଲକ୍ଷ୍ୟ କରି ପରୀ ଚଳଚ୍ଚିତ୍ର ନିଶ୍ଚୟ ଦର୍ଶକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ପ୍ରକଟ କରିଛି l