ନୂଆଦିଲ୍ଲୀ (ଆମ ଟିଭି); 2019 ବ୍ୟାଚ ବିହାର କ୍ୟାଡରର ଆଇପିଏସ ଅଫିସର କାମ୍ୟା ମିଶ୍ରଙ୍କ ଇସ୍ତଫାକୁ ନେଇ ବର୍ତ୍ତମାନ ସାରା ଦେଶର ପୋଲିସ ଅଧିକାରୀଙ୍କ ମହଲରେ ଚର୍ଚ୍ଚା ଚାଲିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ତାଙ୍କର ଇସ୍ତଫାକୁ ନେଇ ଚର୍ଚ୍ଚା କରିବାରେ ଲାଗିଛନ୍ତି। ମାତ୍ର 22 ବର୍ଷ ବୟସରେ ଆଇପିଏସ ପାଇଥିବା କାମ୍ୟା 28 ବର୍ଷ ବୟସରେ ଚାକିରୀ ଛାଡିବାକୁ ପ୍ରସଂଗକୁ କେହି ଗ୍ରହଣ କରୁ ନାହାଁନ୍ତି।
କାମ୍ୟା ବର୍ତ୍ତମାନ ବିହାରର ଦରଭଙ୍ଗା ଗ୍ରାମାଞ୍ଚଳ ଏସପି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଇସ୍ତଫା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। କିଏ କହୁଛି କାମ୍ୟାଙ୍କୁ ବିହାର ମାଫିଆମାନେ କୁଆଡେ ଧମକ ଚମକ ଦେଉଛନ୍ତି। କିଏ କହୁଛି ସେ ଆଇପିଏସ ଛାଡି ରାଜନୀତି କିମ୍ବା ବ୍ୟବସାୟ କରିବେ। କିଏ ପୁଣି କହୁଛି ସେ ଚାକିରୀ ଛାଡି ସମାଜସେବା କରିବେ। ତେବେ କାମ୍ୟା ଏ ପର୍ଯ୍ୟନ୍ତ କଣ କରିବେ ସେ ନେଇ କିଛି ସ୍ପଷ୍ଟ କରି ନାହାଁନ୍ତି।
କାମ୍ୟା ବିହାରରେ ଆଇପିଏସ ଭାବେ ଯୋଗଦେବା ପରେ ପରେ ଚର୍ଚ୍ଚାକୁ ଆସିଛନ୍ତି। କାରଣ କମ ବୟସରେ ଚାକିରୀ ପାଇବା ଏବଂ କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେବା ପରେ ବଡବଡ ଘଟଣାକୁ ପର୍ଦ୍ଦାଫାର୍ସ କରାଇବା ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏକ ବଡ ହତ୍ୟାକାଣ୍ଡ ଘଟଣାରେ ତାଙ୍କୁ ତଦନ୍ତ ଦାୟିତ୍ବ ଦିଆଯିବା ପରେ ସେ ଲୋକଲୋଚନକୁ ଆସିଥିଲେ। ଏତେ କମ ବୟସରେ ସେ ବଡବଡ ଘଟଣାର ସଫଳତାର ସହ ତଦନ୍ତ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଛି। ସେଥିପାଇଁ ବିହାରରେ କାମ୍ୟା ଲେଡି ସିଘଂମ ଭାବେ ପରିଚିତ।