ଓଡିଶା ମନ୍ତ୍ରୀ ମଣ୍ଡଳରେ ହେବ ଅଦଳବଦଳ, ରାଜ୍ୟ ରାଜନୀତିରେ ଧଡକନ

0

ଭୁବନେଶ୍ବର(ଆମ ଟିଭି): ଖୁବଶିଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବ ଅଦଳବଦଳ। ଏ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି ସଙ୍କେତ ଦେଇସାରିଲେଣି। ଫଳରେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଧଡକନ ହେବାରେ ଲାଗିଛି। ଲୋକସେବା ଭବନଠାରୁ ଆରମ୍ଭ କରି ରାଜଧାନୀର ପ୍ରମୁଖ ଖଟିଗୁଡିକରେ ଏ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଏ ଯିବ କିଏ ରହିବ ଆଉ କିଏ ଆସିବ ସେ ନେଇ ମନ୍ତ୍ରୀ କରିଡୋରରେ ବେଶ ତର୍ଜ୍ଜମା ଚାଲିଛି। କେଉଁମନ୍ତ୍ରୀ ଅଯୋଗ୍ୟ କେଉଁ ମନ୍ତ୍ରୀ ଅମାନିଆ ସେ ନେଇ ସବୁ ହିସାବ ନିକାସ ଆରମ୍ଭ ହୋଇଯାଇଛି।

ବର୍ତ୍ତମାନ ଯାହା ସ୍ଥିତି ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 22 ଜଣ ମନ୍ତ୍ରୀ ମଣ୍ଡଳରେ ରହିପାରିବେ। ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କୁ ଛାଡିଦେଲେ ଆଉ 21 ଜଣ ମନ୍ତ୍ରୀ ସାମିଲ ହେବେ। ହେଲେ ବର୍ତ୍ତମାନ ରାଜ୍ୟରେ ମାତ୍ର 16 ଜଣ ମନ୍ତ୍ରୀ ଅଛନ୍ତି। ଅର୍ଥାତ ଆଉ 5 ଜଣ ନୂଆ ମୁହଁ ସାମିଲ ହେବେ। ହେଲେ ଯଦି କିଏ ମନ୍ତ୍ରୀ ମଣ୍ଡଳରୁ ଗଡିପଡେ ତେବେ ଏହି ନୂଆ ମୁହଁ ସଂଖ୍ୟା ବୃଦ୍ଧି ପାଇବ।

ତେବେ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ସଭାପତି କେଉଁ ଆଧାରରେ ମନ୍ତ୍ରୀ ବାଛିବେ ସେ ନେଇ ସେମାନେ ଅଡୁଆରେ ପଡିଯାଇଛନ୍ତି। କାରଣ ଯଦି ଲୋକସଭା ନିର୍ବାଚନ ମଣ୍ଡଳିରୁ ଜଣେ ଲେଖାଏଁ ବିଧାୟକଙ୍କୁ ମନ୍ତ୍ରୀ କରିବେ ତେବେ ମୋଟ 21 ପଦବୀ ପାଇଁ 21 ଜଣ ରହିଯିବେ। ହେଲେ ଯଦି ଯୋଗ୍ୟତା ଆଧାରରେ କରିବେ ତେବେ ତାହା ଭିନ୍ନ କଥା। ତେବେ ବିଶେଷ ସୁତ୍ର ଅନୁସାରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ରାଜ୍ୟ ସଭାପତି ଦିଲ୍ଲୀ ଅନୁମତିକୁ ଅପେକ୍ଷା କରିଛନ୍ତି। ସେମାନେ କେଉଁ ଆଧାରରେ ମନ୍ତ୍ରୀ ବଛାଯିବ ତାହାର ଫର୍ମୁଲା ମାଗିଛନ୍ତି। ତାହା ଆସିଯିବା ପରେ ସେହି ହିସାବରେ ମନ୍ତ୍ରୀ ବଛାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.