ଭୁବନେଶ୍ୱର(ଆମ ଟିଭି): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ନବନିଯୁକ୍ତ ପ୍ରଭାରୀ ଅଜୟ କୁମାର ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଶନିବାର ଭୁବନେଶ୍ୱର ଆସିଛନ୍ତି। କଂଗ୍ରେସ କାର୍ୟ୍ୟାଳୟଠାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦେଶ କଂଗ୍ରେସ କାର୍ୟ୍ୟକାରୀ କମିଟି ଓ କର୍ମକର୍ତ୍ତାର ବୈଠକରେ ଯୋଗଦେଇ ଅଜୟ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ବିଜୟର ଯଥେଷ୍ଟ ସମ୍ଭାବନା ରହିଛି। ଓଡ଼ିଶାରେ କଂଗ୍ରେସ ଆଜି ଯେଉଁ ସ୍ଥିତିରେ ଅଛି ତେଲଙ୍ଗାନାରେ ମଧ୍ୟ ସମାନ ସ୍ଥିତିରେ ଥିଲା। କଂଗ୍ରେସ କର୍ମୀ ଓ ନେତୃବର୍ଗ ସଂକଳ୍ପ ନେଇ ସେଠାରେ ଯଦି କଂଗ୍ରେସକୁ ପୁନଃକ୍ଷମତାସୀନ କରିପାରିଲେ ଓଡ଼ିଶାରେ ତାହା ନିଶ୍ଚୟ ହୋଇପାରିବ। ସେ ଦଳୀୟ ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି।
ତେଲଙ୍ଗାନା ନିର୍ବାଚନୀ ସଫଳତାରେ ସାମାଜିକ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଓଡ଼ିଶା କଂଗ୍ରେସରେ ସାମାଜିକ ଗଣମାଧ୍ୟମକୁ ଅଧିକ କ୍ରିୟାଶୀଳ କରିବାକୁ ସେ ପରାମର୍ଶ ଦେଇଛନ୍ତି। କଂଗ୍ରେସ ପକ୍ଷରୁ ‘ଦେଶ ପାଇଁ ଦାନ’ ଅଭିଯାନରେ ବ୍ୟାପକ ଭାବରେ ଲୋକମାନଙ୍କୁ ସାମିଲ କରିବା ପାଇଁ ସେ କହିଛନ୍ତି। ଯେଉଁମାନେ କଂଗ୍ରେସ ଛାଡ଼ି ଯାଇଛନ୍ତି ସେମାନେ ଫେରିଆସିବା ପାଇଁ ଅଜୟ କୁମାର ଆହ୍ବାନ ଦେଇଛନ୍ତି। ଓଡ଼ିଶା ଓଡ଼ିଆମାନଙ୍କ ପାଇଁ। ଏହି ପ୍ରସଙ୍ଗରେ କୌଣସି ପ୍ରକାର ବ୍ୟତିକ୍ରମକୁ ବରଦାସ୍ତ କରାଯିବା ଉଚିତ ନୁହେଁ। ଆଗାମୀ ଦିନରେ ଅଜୟଙ୍କ ଦିଗ୍ଦର୍ଶନରେ ଏହି ୨୪ ବର୍ଷର ଭ୍ରଷ୍ଟାଚାରୀ ବିଜେଡି ସରକାରକୁ ହଟାଇବାକୁ ସମସ୍ତେ ଆଗେଇ ଆସିବାକୁ ପିସିସି ସଭାପତି ଆହ୍ବାନ ଦେଇଛନ୍ତି।