ଓଡିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗ ଦ୍ୱାରା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହେଲେ ସାମ୍ବାଦିକ ଶ୍ରୀ ପ୍ରଦୀପ କୁମାର ଜେନା

0

କଟକ (ଆମ ଟିଭି): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ଓ ସଚେତନତାକୁ ନେଇ ସାମାଜିକ ଗଣମାଧ୍ୟମରେ ଗତ ମଇ ୧ ତାରିଖଠାରୁ ୨୮ ତାରିଖ ମଧ୍ୟରେ ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ଚଳଚ୍ଚିତ୍ର, କବିତା, କ୍ଷୁଦ୍ର ଗଳ୍ପ ଓ ଚିତ୍ରକଳା ଭଳି ୪ ଗୋଟି ବିଭାଗ ରଖାଯାଇଥିଲା ।

ଏହି ୪ଟି ବିଭାଗରେ ସାରା ରାଜ୍ୟରୁ ୪ ଜଣ ପ୍ରତିଯୋଗୀ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି ।

ଚଳଚ୍ଚିତ୍ର ମଧ୍ୟରୁ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ‘ସପନ’ ଚଳଚ୍ଚିତ୍ର ବିଚାରକମଣ୍ଡଳୀଙ୍କୁ ଖୁବ୍ ଆକର୍ଷିତ କରିଥିଲା । ଏହି ଚଳଚ୍ଚିତ୍ରରେ ଲୋକମାନଙ୍କ ମଧ୍ୟରେ ଋତୁସ୍ରାବକୁ ନେଇ ଥିବା ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ସମାଜକୁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦିଆଯାଇଥିଲା । ତେଣୁ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ମାତା ଭାବରେ ରାଜ୍ୟ ସରକାରଙ୍କ ତରଫରୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ୫୦୦ ଟଙ୍କାରାଶି ପୁରସ୍କାର ରୂପେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ପ୍ରଦାନ କାରାଯାଇଅଛି । ସେ ଆହୁରି ଆଗକୁ ଯାଆନ୍ତୁ ଓ ସମାଜରେ ସଚେତନତା ଆଣିବା ପାଇଁ ଏମିତି ଭଲ କାମକରୁଥାଆନ୍ତୁ ବୋଲି ସମସ୍ତ କର୍ମକର୍ତ୍ତା ସାଧୁବାଦ ଜଣାଇଛନ୍ତି ।

ପ୍ରଦୀପ କୁମାର ଜେନା ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଅନୁଷ୍ଠାନରୁ ସିନେମାଟୋଗ୍ରାଫି ବିଭାଗରେ ପ୍ରଥମ ସ୍ଥାନ ହାସଲ କରି ୨୦୧୬ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ବିଜେବି ମହାବିଦ୍ୟାଳୟରୁ ସଫଳତାପୂର୍ବକ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ବର୍ତ୍ତମାନ ସେ ଦୈନନ୍ଦିନ ଖବର କାଗଜ ‘ସମାଜ’ରେ ସାମ୍ବାଦିକ ଭାବରେ ନିଜ କାର୍ଯ୍ୟ ନିର୍ବାହ କରୁଛନ୍ତି । ସମାଜ ପାଇଁ କିଛି କରିବା ଲକ୍ଷ୍ୟ ନେଇ ସେ ଆରମ୍ଭ କରିଥିଲେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ । ତାଙ୍କ ଚଳଚ୍ଚିତ୍ର ମଧ୍ୟରୁ ଚୁମକି, ଶିଖା, ଉମିଦ୍ ଓ ସପନ ଜାତୀୟ ଓ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରତିଯୋଗିତାରେ ବେଶ୍ ପ୍ରଶଂସା ସାଉଁଟି ପାରିଛି । ତେବେ ରାଜ୍ୟ ସରକାରଙ୍କ ତରଫରୁ ଏହି ପୁରସ୍କାର ଭବିଷ୍ୟତରେ ଓଡିଶା ପାଇଁ ଆହୁରି କିଛି କରି ଦେଖାଇବା ପାଇଁ ପ୍ରୋତ୍ସାହନ ଯୋଗାଇବ ବୋଲି ଶ୍ରୀ ଜେନା କହିଛନ୍ତି ।

Leave A Reply

Your email address will not be published.