ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ବର: ଆଗାମୀ ୧୦ ଓ ୧୧ ତାରିଖ ଦିନ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ। ବ୍ଲୁ ବୁକ୍ ଆଧାରରେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦିଆଯିବ। ରାଷ୍ଟ୍ରପତିଙ୍କ ସୁରକ୍ଷା ସକାଶେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୨୦୦ରୁ ଅଧିକ ଅଧିକାରୀ ମୁତୟନ ହେବେ। ଆଜି ଅପରାହ୍ନ ୧ଟା ବେଳେ ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ତା ଯାଞ୍ଚ କରିବେ ଡିସିପି। ଆସନ୍ତାକାଲି ହେବ ଫାଇନାଲ କାରକେଡ଼ ରିହଲସଲ।
ଫେବ୍ରୁଆରି ୧୦ ତାରିଖ ଶୁକ୍ରବାର ସକାଳ ୯ଟା ବେଳେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନ ଯୋଗେ ଆସି ରାଷ୍ଟ୍ରପତି ପୂର୍ବାହ୍ନ ୧୧.୪୫ରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବେ।
ସେଠାରୁ ରାଷ୍ଟ୍ରପତି ଭୁବନେଶ୍ବରସ୍ଥିତ ଉତ୍କଳ ମଣ୍ଡପକୁ ଯାଇ ‘ଜ୍ଞାନପ୍ରଭା ମିସନ୍’ର ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ। ଉକ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଅପରାହ୍ଣ ୧. ୨୫ରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରାଜଭବନ ଯିବେ। ତା’ପରେ ଅପରାହ୍ଣ ୪.୫ରେ ଭୁବନେଶ୍ବରସ୍ଥିତ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର (ବିଦ୍ୟା ବିହାର) ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ।
ସନ୍ଧ୍ୟା ୫.୧୫ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରୁ ପ୍ରତ୍ୟାବର୍ତ୍ତନ କରି ୫. ୩୦ରେ ରାଜଭବନରେ ପହଞ୍ଚିବା ପରେ ସେଠାରେ ରାତ୍ର ଭୋଜନ ଓ ରାତ୍ର ରହଣି କରିବେ।