ଭୁବନେଶ୍ୱର (ଆମ ଟିଭି): ବଦଳିଲାଣି ଓଡ଼ିଶାରେ ପାଣିପାଗ । ପ୍ରଚଣ୍ଡ ରୌଦ୍ରତାପରୁ ମିଳିଲାଣି ମୁକ୍ତି । କାରଣ ଆସୁଛି ପଶ୍ଚିମା ଝଡ଼ । ଭିଜିବ ଉପାନ୍ତରୁ ଉପକୂଳ । ୧୫ ତାରିଖରୁ ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ୧୭ ତାରିଖ ପର୍ୟ୍ୟନ୍ତ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ । ଝଡ଼ ପବନ ସହ ବର୍ଷା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ଆସନ୍ତାକାଲି ଉପକୂଳ ଓ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ପଡ଼ିବ ପ୍ରଭାବ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ୧୬ ତାରିଖରେ ଭିଜିବ ସାରା ରାଜ୍ୟ । ଉତ୍ତର ଓ ଉପକୂଳ ଜିଲ୍ଲା ଗୁଡ଼ିକରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ,କଟକ , ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ । ଅବଶିଷ୍ଟ ୧୭ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ସେହିପରି ୧୭ ତାରିଖରେ ଦକ୍ଷିଣ ଓଡ଼ିଶା ଓ ତାର ପାର୍ଶ୍ୱବର୍ତ୍ତୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନାଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ।