ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହିଁ ଆଠମଲ୍ଲିକ ଓ ଓଡ଼ିଶାର ବିକାଶ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ ମୋଦି ସରକାରରେ ଗରିବ କଲ୍ୟାଣ ମୂଳମନ୍ତ୍ର ହୋଇଛି । ବିଶ୍ୱରେ ଭାରତର ନାଁ ପୁନଃସ୍ଥାପିତ ହୋଇଛି । ସବକା ସାଥ୍-ସବକା ବିକାଶ-ସବକା ବିଶ୍ୱାସ-ସବକା ପ୍ରୟାସ ମନ୍ତ୍ରରେ ଓଡ଼ିଶା ଓ ଭାରତର ପ୍ରଗତି ଗତିଶୀଳ ହେଉଛି ।
ପଞ୍ଚଦଶ ଅର୍ଥ କମିଶନ, ଖଣି ରାଜସ୍ୱ, ଡିଏମଏଫ, ଜାତୀୟ ରାଜପଥ, ରେଳପଥ, ବିମାନବନ୍ଦର, ଡିଜିଟାଲ ଇଣ୍ଡିଆରେ ଓଡ଼ିଶାକୁ ମୋଦି ସରକାରଙ୍କ ପକ୍ଷରୁ ବ୍ୟାପକ ଅନୁଦାନ ମିଳିଛି । ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶା ୨.୨୨ ଲକ୍ଷ କୋଟି ଟଙ୍କା ପାଇଛି । କଂଗ୍ରେସ ସରକାରରେ ଓଡ଼ିଶା ଖଣି କ୍ଷେତ୍ରରେ ବାର୍ଷିକ ୫ ହଜାର କୋଟି ଟଙ୍କା ରାଜସ୍ୱ ଆକାରରେ ପାଉଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ଖଣି ନୀତିରେ ସୁଧାର କାରଣରୁ ଓଡ଼ିଶା ବାର୍ଷିକ ୫୦ ହଜାର କୋଟି ଟଙ୍କା ପାଉଛି । ଜିଏସଟି ସଂଗ୍ରହରେ ଓଡ଼ିଶାକୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪୯ ହଜାର ୪୪୨ କୋଟି ମିଳିଛି । କୋଭିଡ୍ ସମୟରେ ଓଡ଼ିଶାକୁ ୮.୧୫ କୋଟି ଟିକା ମାଗଣାରେ ଦିଆଯାଇଛି ।
ସେହିପରି ଗରିବ କଲ୍ୟାଣ ଯୋଜନାରେ ଖାଦ୍ୟାନ୍ନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନ, ଉଜ୍ଜଳା ଯୋଜନା ଓ ମନରେଗା ଭଳି ରୋଜଗାର ଯୋଜନାରେ ଆଠମଲ୍ଲିକ ଏବଂ ଓଡ଼ିଶାବାସୀ ସୁବିଧା ପାଇଛନ୍ତି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଟମାରଣା କାରଣରୁ ଆଠମଲ୍ଲିକରେ ଯୋଗ୍ୟ ଲୋକଙ୍କୁ ଘର ମିଳୁନାହିଁ । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆରେ ଗରିବଙ୍କ ପାଇଁ ଆସୁଥିବା ଟଙ୍କା ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ୍ ଖାତାକୁ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରଯାଇଛି । ମାତ୍ର ସେ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତି ନେଇ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ।