ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ରାଉଡି ରାଜା*
ଭୁବନେଶ୍ୱର :କଳ୍ପନା ଫିଲ୍ମ ବ୍ୟାନର ରେ ନିର୍ମାଣ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର “ରାଉଡି ରାଜା” ଓଡ଼ିଶାର ୧୫ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ କରିଛି l ଭୁବନେଶ୍ୱର ସ୍ଥିତ ଡି ଏନ୍ ରେଗାଲିଆ ଆଇନକ୍ସ ରେ ପ୍ରିମିଅର ଶୋ ହୋଇଥିଲା l ଏହି ଅବସରରେ ଓଲିଉଡ଼ ର ଅନେକ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ପ୍ରଣୟ ଜେଠୀ, ଗଙ୍ଗାଧର ରେଡ୍ଡୀ, ଟୁଟୁ ନାୟକ, ରମେଶ ବାରିକ ଏବଂ ଅଭିନେତା ବବି ମିଶ୍ର, ସୋହମ ସିଂହ, ଅଭିଷେକ ଗିରି, ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଟିକୁ ଦେଖିଥିଲେ l
ଲଭ, ରୋମାନ୍ସ, ଆକ୍ସନ ଏବଂ ଭରପୁର କମେଡି ତଥା ଏକ ଓଡ଼ିଆ ଘରର ମୌଳକ ପାରିବାରିକ କାହାଣୀ କୁ ନେଇ ନିର୍ମାଣ ହୋଇଛି ରାଉଡି ରାଜା l ଯାହାର ପ୍ରଯୋଜନା କରିଛନ୍ତି କଳ୍ପନା ସିଂହ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ l ମୁଖ୍ୟ ହିରୋ ଭୂମିକା ରେ ଅଭିନୟ କରିଛନ୍ତି ସୋହମ ସିଂହ ଏବଂ ତାଙ୍କ ବିପକ୍ଷରେ ଅଛନ୍ତି ଚୁଲବୁଲି ନାୟିକା ଶ୍ରଦ୍ଧା ପାଣିଗ୍ରାହୀ l ତାଙ୍କ ସହିତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ପପି ସନ୍ତୁକା, ସସ୍ମିତା ପ୍ରଧାନ, ଅକ୍ଷୟ ବସ୍ତିଆ, ଅଭିଷେକ, ଦିବ୍ୟା ଅଭିନୟ କରିଛନ୍ତି l
କାହାଣୀ କଳ୍ପନା ସିଂହ ଙ୍କର ହୋଇଥିବା ବେଳେ ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଏବଂ ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ l ଚିତ୍ରତ୍ତୋଳନ କରିଛନ୍ତି ସୌମ୍ୟ l ଚଳଚ୍ଚିତ୍ର ର ଗୀତ ଗୁଡିକ ବେଶ ମନଛୁଆଁ ହେଇଚି l ପ୍ରେକ୍ଷାଳୟ ରେ ପ୍ରାୟ ସମସ୍ତ ଦର୍ଶକ ଗୁଣୁ ଗୁଣୁ ହେଉଥିବା ଦେଖିବାକୁ ମିଳିଥିଲା l
ତେବେ ପୂଜା ପୂର୍ବରୁ ରାଉଡି ରାଜା ଦର୍ଶକଙ୍କ ମନକୁ ଛୁଇଁବ ଏବଂ ଦର୍ଶକ ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି l