ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଦେଖାଦେଲେ ଓଲି,କହିଲେ ବର୍ତ୍ତମାନର ସରକାର ଅସମ୍ବିଧାନିକ

0

ନେପାଳ (ଆମ ଟିଭି): ସର୍ବସାଧାରଣରେ ଆସି ଭାଷଣ ଦେଲେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମାଓଲି । ନେପାଳ ହିଂସା ଥମିବାର ପ୍ରାୟ ଏକ ସପ୍ତାହ ପରେ ଓଲି ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ଓଲିଙ୍କ ପାର୍ଟି CPN-UML ଛାତ୍ର ସଂଘ ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଓଲି ଯୋଗ ଦେଇଥିଲେ ।

ଭକ୍ତପୁର ଠାରେ ଛାତ୍ରସଂଘ ‘ରାଷ୍ଟ୍ରୀୟ ଯୁବସଂଘ’ ପକ୍ଷରୁ ଏହି ସଭାକାର୍ଯ୍ୟ ଆୟୋଜିତ ହୋଇଥିଲା। ତେବେ ଏହି ସାଧାରଣ ସଭାରେ ଓଲିଙ୍କ ଉପସ୍ଥିତିକୁ ନେଇ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଯେଉଁ ଯୁବଗୋଷ୍ଠୀ ଓଲିଙ୍କୁ ବିରୋଧ କରି ଗାଦିଚ୍ୟୁତ କରିଥିଲେ, ଆଜି ସେଇମାନଙ୍କ ସହ ଓଲି ପୁନର୍ବାର ଯୋଡ଼ି ହେବାକୁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି ।

ଓଲିଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇ ବହୁ ଯୁବଗୋଷ୍ଠୀ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ। ଓଲି ଏବେ ସେଇ ଯୁବକଙ୍କ ସାହାରା ନେଇ ପୁଣି ଲୋକଲୋଚନକୁ ଆସିବାକୁ ପ୍ରଚେଷ୍ଟା ଜାରି ରଖିଥିବା ରାଜନୀତି ବିଶେଷଜ୍ଞମାନେ କହୁଛନ୍ତି। ତେବେ ନେପାଳରେ ହିଂସାକାଣ୍ଡ ବ୍ୟାପକ ହେବାରୁ ଗତ ସେପ୍ଟେମ୍ବର ୯ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓଲି । ତାଙ୍କୁ ସେନା ସୁରକ୍ଷାରେ ରଖାଯାଇଥିଲା ।

ପରବର୍ତ୍ତୀ ସମୟରେ ତାଙ୍କୁ ଏକ ଅସ୍ଥାୟୀ ବାସସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ନେପାଳ ହିଂସାକାଣ୍ଡରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେପଟେ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ନେପାଳର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି । ଆସନ୍ତା ମାର୍ଚ୍ଚରେ ନେପାଳରେ ନିର୍ବାଚନ ଥିବାରୁ ଏହି ଅବଧି ପାଇଁ ସୁଶୀଳାଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି ।

Leave A Reply

Your email address will not be published.