ରାଜ୍ୟ କଂଗ୍ରେସର ଭବିଷ୍ୟତକୁ ନେଇ ପୂର୍ବତନ ପିସିସି ସଭାପତି ବଡ଼ ବୟାନ ‘୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ’
ଭୁବନେଶ୍ବର(ଆମ ଟିଭି) : ରାଜ୍ୟ କଂଗ୍ରେସର ଭବିଷ୍ୟତକୁ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବଡ଼ ବୟାନ। ସେ କହିଛନ୍ତି, ୨୦୨୪ ନିର୍ବାଚନ କଂଗ୍ରେସ ପାଇଁ ଶେଷ ସୁଯୋଗ। ସମସ୍ତେ ଏକାଠି ନ ହେଲେ ଦଳକୁ କେହି ବଞ୍ଚାଇ ପାରିବେନି। ଏପରିକି ଭଗବାନ ମଧ୍ୟ ଦଳକୁ ରକ୍ଷା କରିପାରିବେନି। ଜୟଦେବଙ୍କ ଏଭଳି ବୟାନକୁ ନେଇ କଂଗ୍ରେସ ମହଲରେ ହଇଚଇ ସୃଷ୍ଟି ହୋଇଛି। ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ବିଜେଡି ଓ ବିଜେପି ଏକାଠି ହୋଇ ନିର୍ବାଚନ ଲଢ଼ିବେ। ଏ ପରିସ୍ଥିତିରେ କଂଗ୍ରେସ ହେଉଛି ଏକମାତ୍ର ବିକଳ୍ପ। ଦୁଇ ଦଳଠାରୁ ଲୋକମାନେ ମୁହଁ ବୁଲାଇଲେଣି। ତେଣୁ ୨୦୨୪ ହେଉଛି କଂଗ୍ରେସ ପାଇଁ ଶେଷ ସୁଯୋଗ। ଯଦି ଆସନ୍ତା ନିର୍ବାଚନରେ ଦଳ କ୍ଷମତାକୁ ଆସେ ତାହାଲେ ୧୦/୧୫ବର୍ଷ କ୍ଷମତାରେ ରହିବ। ଲୋକମାନେ ଯେତେବେଳେ ନିଷ୍ପତ୍ତି ନେଇ ଅନ୍ୟ ଆଡ଼େ ମୁହାଁଇବେ, ବିଜେଡିର କୌଶଳ କାମ କରିବ ନାହିଁ ବୋଲି ସେ କହିଛନ୍ତି।
ଅପରପକ୍ଷରେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସ ସବୁବେଳେ ଲୋକଙ୍କ ପାଖରେ ଅଛି। ୨୨ବର୍ଷ ଧରି ଆମେ ଶାସନରେ ନ ଥିଲେ ବି ଲୋକଙ୍କ ପାଖରେ ରହିଛୁ। ଏବେ କଂଗ୍ରେସର ୯ଜଣ ବିଧାୟକ ଥିବା ବେଳେ ଆମେ ୯୦ ମିସନ୍ ନେଇକି ଚାଲିଛୁ। ଲୋକଙ୍କ ଆଶୀର୍ବାଦ ବଳରେ ଏହା ସଫଳ ହେବ।