ମଙ୍ଗଳବାର ବାଲିଯାତ୍ରାରେ ‘ମହାନଦୀ ବୋଇତ ରେସ୍’ର ଉଦଘାଟନୀ ସମାରୋହ*

0

ବାଲିଯାତ୍ରାର ବଢ଼ୁଛି ଭିଡ଼ । ମଙ୍ଗଳବାର ସପ୍ତମ ସଂଧ୍ୟାରେ ହଠାତ୍ ଲୋକମାନଙ୍କ ଭିଡ ବଢି ଯାଇଥିବା ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକ ବାଲିଯାତ୍ରା ବୁଲିବା ପାଇଁ ଆସିଛନ୍ତି ଏହି ଅବସରରେ ଗଣକବି ବୈଷ୍ଣବ ପାଣି ମଞ୍ଚ ଏକ ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଯାତ୍ରାକୁ ଆହୁରି ଜୀବନ୍ତ କରିଥିଲା, ଯାହା ଓଡ଼ିଶାର କଳାତ୍ମକ ଐତିହ୍ୟ ସହିତ ଜାତୀୟ ସାଂସ୍କୃତିକ ସ୍ୱାଦକୁ ପ୍ରଦର୍ଶିତ ଦର୍ଶକଙ୍କ ଆଗରେ ।

ଆରମ୍ଭ ହୋଇଥିଲା ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିହାସ, ବୋଇତ ବନ୍ଦାଣ ଏବଂ ସମୃଦ୍ଧ ସାଧବ ପରମ୍ପରାକୁ ମନେପକାଇବା ଉଦ୍ଦେଶ୍ୟରେ ପଡ଼ିଆ ନିକଟରେ ଗଡ଼ଗଡ଼ିଆ ଘାଟଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ‘ମହାନଦୀ ବୋଇତ ରେସ୍’ର ଉଦଘାଟନୀ ସମାରୋହରେ ସହିତ । ଯେଉଁ କାର୍ଯକ୍ରମରେ ଉପସ୍ଥିତ ଥିଲେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାୟକ, କଟକ (ଚୌଦ୍ୱାର) ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ପର୍ଯ୍ୟଟନ ବିଭାଗର ସଚିବ ଶ୍ରୀ ବଲୱନ୍ତ ସିଂହ, କଟକ ଜିଲ୍ଲାପାଳ, ପର୍ଯ୍ୟଟନ ବିଭାଗର ସମସ୍ତ ଅଧିକାରୀଗଣ, ଆରକ୍ଷୀ ଓ ଅଗ୍ନିଶମ ବାହିନୀ ଏବଂ ଓଡ଼ିଶା ଓ ଅନ୍ୟ ରାଜ୍ୟଗୁଡ଼ିକରୁ ଆସିଥିବା ପ୍ରତିଯୋଗୀମାନେ । ଏହି ପ୍ରତିଯୋଗିତାରେ ମୋଟ ୧୫ ଗୋଟି ଦଳ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ଗୋଟି ପୁରୁଷ ଦଳ ଏବଂ ୫ ଗୋଟି ମହିଳା ଦଳ । ଏହି ପ୍ରତିଯୋଗିତାରେ ଓଡ଼ିଶା ଟିମ ଜିତିଥିଲା ।

 

କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଯୋଗଦେଇଥିଲେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ । ସେ ବାଲିଯାତ୍ରାର ମହତ୍ଵ ଓ ଓଡ଼ିଶାର ଗାରିମା ସମ୍ପର୍କରେ ଚର୍ଚ୍ଚା କରିଥିଲେ । ଆଗକୁ ଏହି ବିଶ୍ବ ପ୍ରସିଦ୍ଧ ଯାତ୍ରାର କିପରି ଅଧିକ ଲୋକାଦୃତ ହେବ ସେ ସମ୍ପର୍କରେ ନିଜ ମତ ରଖିଥିଲେ ।

 

ଅପରାହ୍ନ ୪ଟାରେ ଶ୍ରୀ ଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ଚାରିଟେବଲ୍ ଟ୍ରଷ୍ଟଙ୍କ ଭକ୍ତିପୂର୍ଣ୍ଣ ଭଜନ ସହିତ ଆରମ୍ଭ ହୋଇଥିଲା ପରେ ଉପାସନା ସାଂସ୍କୃତିକ ଟ୍ରଷ୍ଟ, ଭୁବନେଶ୍ୱରର ସଙ୍ଗୀତ ପରିବେଷଣ, ସିଙ୍ଘମ ଡ୍ୟାନ୍ସ ଷ୍ଟୁଡିଓ ୨.୦ ଓ ଡେଭିଲ୍ ଡ୍ୟାନ୍ସ ଷ୍ଟୁଡିଓ ଦ୍ୱାରା ଜବରଦସ୍ତ ଫ୍ୟୁଜନ୍ ପ୍ରଦର୍ଶନ ଦର୍ଶକଙ୍କ ଉତ୍ସାହକୁ ବୃଦ୍ଧି କରିଥିଲା । ଏହା ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କର ହାସ୍ୟ ରସ ନାଟକର ଉପସ୍ଥାପନା ପରେ ମଣିପୁରୀ ଅଗ୍ନି ନୃତ୍ୟ, ରାଜସ୍ଥାନର କାଲବେଲିଆ ନୃତ୍ୟ ଏବଂ ଓଡ଼ିଶାର ସମୃଦ୍ଧ ଲୋକ ପରମ୍ପରାକୁ ପ୍ରତିନିଧିତ୍ୱ କରୁଥିବା ସ୍ଥାନୀୟ ଟିମ ଦ୍ୱାରା ରାସ ନୃତ୍ୟ ସହିତ ସନ୍ଧ୍ୟା ହୋଇଥିଲା ରଙ୍ଗା ରଙ୍ଗ । ସନ୍ଧ୍ୟା ୮ ପରେ ଆରମ୍ଭ ହୋଇଥିଲା ଦୀପ୍ତିରେଖା ପାଢୀ, କୁମାର ବାପି ଟିମ ଦ୍ୱାରା ଏକ ଦମଦାର ସଙ୍ଗୀତ ସେଗମେଣ୍ଟ ସହିତ ଯାହା ଦର୍ଶକଙ୍କ ପାଇଁ ଏକ ଚମତ୍କାର ପ୍ରଦର୍ଶନ ଥିଲା । ଏହା ସହିତ ମଞ୍ଚରେ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କ ପ୍ରଦର୍ଶନ ଦର୍ଶକଙ୍କ ମନ ଜିତିଥିଲା ।

 

କେବଳ ଏତିକି ନୁହେଁ ବରଂ ଅକ୍ଷୟ ମହାନ୍ତି ମଞ୍ଚରେ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଭକ୍ତି ଗୀତ ସହିତ ଆୟୋଜିତ ଅନ୍ୟ ସମସ୍ତ ଲୋକକଳା କାର୍ଯ୍ୟକ୍ରମ ଯେପରିକି ଅମୃତ ମ୍ୟୁଜିକ ଓଡିଆର ନିଶିପ୍ରଭା ପାଣିଙ୍କ ‘ଅକ୍ଷୟ ମହାନ୍ତି ଭକ୍ତି ସଙ୍ଗୀତ’, ବାଙ୍କିର ଅଶୋକ ବେହେରାଙ୍କ ଲାଉଡି ଫୋକ୍, ପୁରୀର ଚାରୁ ନର୍ତନର ବିବେକାନନ୍ଦ ମହାନ୍ତିଙ୍କ ଦେବୀ ଆକ୍ଟ ଦର୍ଶକମାନଙ୍କୁ ଆକର୍ଷିତ କଲା। କନ୍ଧମାଳର ଅନୁଗ୍ରହ ସଂସ୍କୃତିକ କଳା ପରିଷଦର କଞ୍ଜର ନୃତ୍ୟ, କଟକ ସୁଗ୍ୟାନୀ ମହାପାତ୍ରଙ୍କ ‘ନାଗେନ୍ଦ୍ର ହାରୟ’ ଓଡିଶୀ, ରୋଜାଲିନ ସାହୁଙ୍କ ଦ୍ରୌପଦୀ ଚୀରହରଣ ନୃତ୍ୟ ଛଡା ଅନ୍ୟ କଳାକାରଙ୍କ ପ୍ରଦର୍ଶନ ସନ୍ଧ୍ୟାକୁ ରଙ୍ଗିନ କରିଦେଲା ଓ ଆଣିଥିଲା ଦର୍ଶକଙ୍କ ଅବିରତ ତାଳି ।

 

ତେବେ ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ଏହି ମହୋତ୍ସବରେ ଓଲିଉଡରୁ ବଲିଉଡ ଅନେକ କଣ୍ଠଶିଳ୍ପୀ ଏବଂ ତାରକା ସାମିଲ ହୋଇ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି, ଯାହା ଭୁବନେଶ୍ୱରର ଶରଦ ଆଡଭର୍ଟାଇଜିଂ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆୟୋଜିତ ହୋଇଛି। ତେବେ ବାଲିଯାତ୍ରାରେ ମନୋରଂଜନ କରିବା ସହ ଦୋଳି ଖେଳ ପାଖରୁ ଆରମ୍ଭ କରି ଜଳପରୀ ସବୁର ମଜା ନେଉଛନ୍ତି ଲୋକମାନେ। ଲୋକମାନଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି । ମହାନଦୀ ପଠାରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ। କିଣା ବିକା ସହ ଖାଇବା ପିଇବାର ପସରା ମେଲିଛି ନଦୀ ପଠାରେ। ପ୍ରତିଦିନ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ହେଉଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ । ଏ ବର୍ଷ ସଫଳ ଭାବରେ ବାଲିଯାତ୍ରାକୁ ପରିଚାଳନା କରୁଥିବାରୁ ସାମାଜିକ ଗଣମାଧ୍ୟମରେ ପ୍ରଶାସନ ସାଉଁଟୁଛି ପ୍ରଶଂସା ।

Leave A Reply

Your email address will not be published.