ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା ମାଧ୍ୟମରେ ଅଭିଜିତଙ୍କ ସୁସ୍ଥତା କାମନା କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ*

0

ଅଭିଜିତ ମଜୁମଦାର, ଓଡିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ଓ ମନୋରଂଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ । ସଙ୍ଗୀତରେ ଶ୍ରୋତାଙ୍କୁ ବାନ୍ଧି ରଖିବାର କଳା ସେ ବେଶ୍‌ ଜାଣନ୍ତି । ତାଙ୍କ ଗୀତ ବାଜିଲେ ଝୁମନ୍ତି ଦର୍ଶକ ଆଉ ଅନେକଙ୍କ ଆଖିରୁ ଲୁହ ବି ଝରେ । ସଙ୍ଗୀତରେ ସମସ୍ତଙ୍କୁ ମତୁଆଲା କରୁଥିବା ଅଭିଜିତ ଦା’ ଏବେ କୋମାରେ । ଜୀବନ ସହ ସଂଗ୍ରାମ କରୁଛନ୍ତି ଅଭିଜିତ୍ ମଜୁମଦାର। ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଚାଲିଛି ତାଙ୍କର ଚିକିତ୍ସା । ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଏମ୍ସ ଭୁବନେଶ୍ବର ଗସ୍ତ କରିଥିଲେ।

 

ତାଙ୍କ ଆରୋଗ୍ୟ କାମନା ପାଇଁ ସୁପରଷ୍ଟାର ବାବୁଶାନଙ୍କ ଠାରୁ ଆରମ୍ଭ କରି ଓଡ଼ିଆ ମନୋରଂଜନ ଦୁନିଆର ସେଲିବ୍ରିଟି ଓ ତାଙ୍କ ଫ୍ୟାନ୍ସ ସମେତ ନିବେଦନ କରିଛନ୍ତି । ଏପରିକି ଅନେକ କଳାକାରଙ୍କ ସମେତ ନେତା, ମନ୍ତ୍ରୀ ତାଙ୍କୁ ଭେଟି ସ୍ୱାସ୍ଥ୍ଯବସ୍ଥା ପଚାରି ବୁଝିଛନ୍ତି । ବଡ଼ ବଡ଼ ହସ୍ତୀ ମାନେ ଦର୍ଶକଙ୍କୁ ତାଙ୍କ ଆରୋଗ୍ୟ କାମନା ପାଇଁ ନିବେଦନ କରୁଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ଶାସକ ଦଳର ନେତାମାନେ ମଧ୍ୟ ଅଭିଜିତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି । କେହି କେହି ତାଙ୍କ ପାଇଁ ଦୀପ ଜାଳୁଥିବା ବେଳେ କେହି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଛନ୍ତି ।

ଏପରି ସମୟରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅଭିଜିତଙ୍କ ସୁସ୍ଥତା କାମନା କରିଛନ୍ତି । ସେ ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ମହାପ୍ରଭୁଙ୍କ ନିକଟରେ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି । ରବିବାର ଦିନ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର ଆଙ୍କିଛନ୍ତି । ଏହି ବାଲୁକା ଚିତ୍ରରେ ସେ ଲେଖିଛନ୍ତି, “Get well soon, Abhijit Majumdar (ଶୀଘ୍ର ସୁସ୍ଥ ହୁଅ, ଅଭିଜିତ ମଜୁମଦାର)। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଆଶୁ ଆରୋଗ୍ୟ ପ୍ରାର୍ଥନା କରୁଛୁ ।” ଏହା ସହ ସେ କହିଛନ୍ତି, ‘ଲୋକପ୍ରିୟ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର ଯିଏ ଘରେ ଘରେ ପରିଚିତ, ତାଙ୍କ ଅସୁସ୍ଥତା ଆମକୁ କଷ୍ଟ ଦେଇଛି । ତାଙ୍କ ଫ୍ୟାନ୍ସ ସମେତ ସମସ୍ତ ଓଡ଼ିଶାବାସୀ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି । ଯଥାଶୀଘ୍ର ସେ ସୁସ୍ଥ ହୋଇ ଫେରନ୍ତୁ ଏବଂ ତାଙ୍କ ସଙ୍ଗୀତ ଯାତ୍ରା ଜାରି ରଖନ୍ତୁ । ‘

ଅଭିଜିତ ଲିଭର ଜନିତ ସମସ୍ୟା ପାଇଁ ଏମ୍ସ ଭୁବନେଶ୍ବରରେ ଗତ ୪ ତାରିଖ ଦିନ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ତାଙ୍କର ଡାକ୍ତରୀ ଚିକିତ୍ସା ଜାରି ରହିଛି। ତାଙ୍କର କିଡ୍‌ନି ଓ ଲିଭର ସମସ୍ୟା ଯାହା ରହିଥିଲା ବର୍ତ୍ତମାନ ସେଥିରେ ଧିରେ ଧିରେ ସୁଧାର ଆସୁଛି। କିନ୍ତୁ ସେ କଥାବାର୍ତ୍ତା କରିପାରୁ ନାହାଁନ୍ତି l ଡାକ୍ତରୀ ଟିମ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଉଛନ୍ତି। ଆବଶ୍ୟକ ହେଲେ ଆଉ ଅଧିକ ଚିକିତ୍ସା ପାଇଁ ଅଭିଜିତ ଦିଲ୍ଲୀ ଏମ୍ସ କୁ ସ୍ଥାନାନ୍ତରିତ ହୋଇପାରନ୍ତି।

Leave A Reply

Your email address will not be published.