ପଦ୍ମପୁର (ଆମ ଟିଭି): ବହୁ କସରତ, ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ବିଜେଡି ଘୋଷଣା କଲା ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ । ବିଜେପି ନେତାଙ୍କ ବୋହୂ ହେଲେ ବିଜେଡି ପ୍ରାର୍ଥୀ। ପଦ୍ମପୁର ନିର୍ବାଚନରେ ଦେଖିବାକୁ ମିଳିଛି ଏଭଳି ରୋଚକ ଦୃଶ୍ୟ। ବିଜେପିର ବରିଷ୍ଠ କାର୍ୟ୍ୟକର୍ତ୍ତା ତଥା ପୁରୀ ଜିଲ୍ଲା ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହଙ୍କ ବୋହୂ ବର୍ଷା ସିଂ ବରିହା ଏବେ ପଦ୍ମପୁରରୁ ହୋଇଛନ୍ତି ବିଜେଡି ପ୍ରାର୍ଥୀ। ପଦ୍ମପୁର ବିଜେଡି ପ୍ରାର୍ଥୀ ଘୋଷଣା ପରେ ବର୍ଷା ସିଂ ବରିହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିକ୍ରିୟା ରଖି ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ଓ ଭରସା କରିଛନ୍ତି। ସେ ଏଥିପାଇଁ ଖୁସ୍। ପରିବାରରୁ ଯିଏ ବି ବିଜେଡି ଟିକେଟ ପାଇଥିଲେ ସେ ଖୁସି ହୋଇଥାନ୍ତେ। ବାପାଙ୍କ କାମ ଦେଖି ତାଙ୍କୁ ଟିକେଟ ଦିଆଯାଇଛି। ପିଲା ବେଳୁ ବାପାଙ୍କ ଠାରୁ ବହୁତ କିଛି ଦେଖିଛନ୍ତି ଓ ଶିଖିଛନ୍ତି। ଏହାକୁ ଉପଯୋଗ କରି ଲୋକଙ୍କ କାମ କରିବେ। ବିଧାୟକ ହେଲେ ସର୍ବପ୍ରଥମେ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେବେ। ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବେ। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବା ନିମନ୍ତେ ବିଜେଡି ସମର୍ଥନ ଦେଇଛି ବୋଲି ସେ କହିଛନ୍ତି।
ସେପଟେ ଆସନ୍ତା ୧୬ରେ ସେ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି। ହେଲେ ବର୍ଷା ତାଙ୍କ ପ୍ରତିକ୍ରିୟାରେ ଶ୍ୱଶୁର ରମାରଞ୍ଜନ ବଳିଆରସିଂହଙ୍କ ନାଁ କିମ୍ବା ରାଜନୈତିକ ପ୍ରଭାବ ବିଷୟରେ ଟିକିଏ ହେଲେ ବି ମୁହଁ ଖୋଲି ନାହାନ୍ତି। କେବଳ ତାଙ୍କ ବାପା ତଥା ଦିବଙ୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପ୍ରଭାବ ବିଷୟରେ ହିଁ ନିଜର ପକ୍ଷ ରଖି ବିଜେଡି ଟିକେଟ୍ ହାସଲ କରିବାରେ ସମର୍ଥ ହୋଇଛନ୍ତି। ତେବେ ବର୍ଷା ବିଜେପିର ବରିଷ୍ଠ କାର୍ୟ୍ୟକର୍ତ୍ତା ତଥା ପୁରୀ ଜିଲ୍ଲା ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂଙ୍କ ବୋହୂ ହୋଇଥିବାରୁ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।