ପଦ୍ମଶ୍ରୀ ଗୀତା ମହାଲିକ ପାଇବେ “ଗୁରୁଶ୍ରୀ ଦୁର୍ଗାଚରଣ ରଣବୀର ଜୀବନ ବ୍ୟାପୀ ସାଧନା ସମ୍ମାନ*
ଭୁବନେଶ୍ୱର :ଆସନ୍ତା ଫେବୃଆରୀ ୨୪ ଓ ୨୫ ରେ ଓଡ଼ିଶାର ଅଗ୍ରଣୀ ଓଡିଶୀ ନୃତ୍ୟାନୁଷ୍ଠାନ ନୃତ୍ୟାୟନ ଦ୍ୱାରା ଆୟୋଜିତ “ମୀରା ଓଡିଶୀ ନୃତ୍ୟ ଉତ୍ସବ” ରେ ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ତଥା ନୃତ୍ୟ ଗୁରୁ ପଦ୍ମଶ୍ରୀ ଗୀତା ମହାଲିକ “ଗୁରୁଶ୍ରୀ ଦୁର୍ଗାଚରଣ ରଣବୀର ଜୀବନ ବ୍ୟାପୀ ସାଧନା ସମ୍ମାନ” ରେ ସମ୍ମାନିତ ହେବେ । ଶ୍ରୀମତୀ ମହାଲିକ ଓଡିଶୀ ନୃତ୍ୟ ଜଗତରେ ଜଣେ ଖ୍ୟାତି ସମ୍ପର୍ଣ୍ଣ ବ୍ୟକ୍ତିତ୍ୱ । ଜଣେ ଦକ୍ଷ ତଥା ସୁଵିଜ୍ଞ ନୃତ୍ୟ ଶିଳ୍ପୀ ଭାବେ ସୁନାମ ଅର୍ଜନ କରିବା ସଙ୍ଗେ ସଙ୍ଗେ ଜଣେ ଉଚ୍ଚ ମାନର ନୃତ୍ୟ ଗୁରୁ ଭାବେ ଦେଶ ତଥା ବିଦେଶ ରେ ଅନେକ ନୃତ୍ୟ ଶିଳ୍ପୀ ଙ୍କୁ ସୃଷ୍ଟି କରିଛନ୍ତି ।
ତାଙ୍କର ସୁଦୀର୍ଘ ଓଡିଶୀ ଜୀବନ ଯାତ୍ରାରେ ଦେଶ ବିଦେଶରେ ନିଜର କଳା ନୈପୁଣ୍ୟତା ପରିବେଷଣ କରି ଉଚ୍ଚ ପ୍ରଶଂସା ଭାଜନ ହେବା ସହିତ ଓଡିଶୀ ନୃତ୍ୟ ର ପ୍ରଚାର ପ୍ରସାର ରେ ତାଙ୍କର ଏ ମହାନ୍ କାର୍ଯ୍ୟାଧାରା ସହାୟ ହୋଇଆସିଛି । ତେଣୁ ତାଙ୍କର ଏଭଳି ବିଶେଷ ଅବଦାନ ନିମନ୍ତେ ଦେଶର ସର୍ବୋଚ୍ଚ ଚତୁର୍ଥ ନାଗରୀକ ସମ୍ମାନ ‘ପଦ୍ମଶ୍ରୀ’ ଉପାଧି ରେ ଭୂଷିତା ହେବାର ଗୌରବ ଲାଭ କରିଛନ୍ତି । ଏହା ପୂର୍ବରୁ ତାଙ୍କର ଅନେକ ପୁରସ୍କାର ମଧ୍ୟରୁ କେନ୍ଦ୍ରୀୟ ସଂଗୀତ ନାଟକ ଏକାଡେମୀ ଏବଂ ରାଜ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଅନ୍ୟତମ । ଅଦ୍ୟାବଧି ନିଜର ନୃତ୍ୟାନୁଷ୍ଠାନ ‘ଗୀତା ଉପାସନା ପୀଠ’ ରେ ଅନେକ ଛାତ୍ରଛାତ୍ରୀ ଙ୍କୁ ଓଡିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରିଆସୁଛନ୍ତି । ଏଭଳି ଜଣେ ମହାନ କଳାକାର ତଥା ଗୁରୁ ଙ୍କୁ ନୃତ୍ୟାୟନ ଦ୍ୱାରା ଆୟୋଜିତ “ମୀରା ନୃତ୍ୟ ଉତ୍ସବ” ର ପ୍ରଥମ ବର୍ଷ “ଗୁରୁଶ୍ରୀ ଦୁର୍ଗାଚରଣ ରଣବୀର ଜୀବନବ୍ୟାପୀ ସାଧନା ସମ୍ମାନ” ପ୍ରଦାନ କରିବାକୁ ସ୍ଥିର କରି ନିଜକୁ ଧନ୍ୟ ମନେକରୁଛନ୍ତି ବୋଲି ଅନୁଷ୍ଠାନର କୋଷାଧକ୍ଷ ଧୀରେନ୍ଦ୍ରନାଥ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ।