ନୂଆଦିଲ୍ଲୀ (ଆମ ଟିଭି): ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ବଢିଚାଲିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୨୦ ରେ ପହଞ୍ଚିଛି । ତେବେ ସରକାରୀ ଭାବେ ଏପର୍ଯ୍ୟନ୍ତ ଏହି ମୃତ୍ୟୁ ସଂଖ୍ୟାକୁ ସ୍ପଷ୍ଟ କରାଯାଇନାହିଁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ।
ସୂଚନାଅନୁଯାୟୀ , ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ଓଡ଼ିଶାର ଜଣେ ପର୍ଯ୍ୟଟକ ଥିବା ଜଣାଯାଇଛି । ୨ ରୁ ୩ ଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କ ଉପରକୁ ୪୦ ରାଉଣ୍ଡରୁ ଅଧିକ ଗୁଳି ଚଳାଇଥିଲେ । ଏହି ଆକ୍ରମଣର ସୂଚନା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ ଯୋଗେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି ଓ ତାଙ୍କୁ ତୁରନ୍ତ ଜମ୍ମୁ ଓ କଶ୍ମୀର ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆସନ୍ତାକାଲି ଏନଆଇଏ ଟିମ୍ ପହଲଗାମ ଯାଇପାରେ । ଆକ୍ରମଣରେ ଜଣେ ଓଡ଼ିଆ ମଧ୍ୟ ପ୍ରାଣ ହରାଇଛନ୍ତି । ସେ ଦୁଇଦିନ ତଳେ ପତ୍ନୀ ଓ ପୁଅଙ୍କ ସହ ବୁଲିବାକୁ ଯାଇଥିଲେ । ଆତଙ୍କୀ ଆକ୍ରମଣ ବେଳେ କିଛି ଓଡିଆ ରହିଥିଲେ ।