ଦେବାଳିଆ ରାସ୍ତାରେ ପାକିସ୍ତାନ
ଇସଲାମାବାଦ୍ (ଆମ ଟିଭି): ଦେବାଳିଆ ସ୍ଥିତିରେ ଏବେ ପାକିସ୍ତାନ । ନା ଅଛିପାଣ୍ଠି ନା ଅଛି ଖାଇବାକୁ । କେହି ବି ସାହାଯ୍ୟ କରିବାକୁ ନାରାଜ୍ । ଲୋକଙ୍କ ଅବସ୍ଥା ଦିନକୁ ଦିନ ସୋଚନୀୟ ହେବାରେ ଲାଗିଛି । ରୁଟି, ଚିନି ଏବଂ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି । କେବଳ ଯେ ରୁଟି, ଚିନି ଏବଂ ପାଣି ନୁହେଁ ଏଠାରେ ପେଟ୍ରୋଲ ଡିଜେଲ ଦର ବି ଆକାଶ ଛୁଆଁ ହେଲାଣି । ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଏକପ୍ରକାର ଶ୍ରୀଲଙ୍କ ପରି ହୋଇଗଲାଣି । ଗତ ସପ୍ତାହରେ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ତଳକୁ ଖସି ୩ଅରବ ଡଲାରରେ ପହଞ୍ଚିଗଲାଣି । ସଫା ସଫା କହିବାକୁ ଗଲେ ପାକିସ୍ତାନ ପାଖରେ ଚଳିବା ପାଇଁ ଆଉ ମାସକଠୁ ବି କମ୍ ଧନ ବଞ୍ଚି ରହିଛି ।
ଯଦି ଆମେ ପାକିସ୍ତାନରେ ତୈଳ ଦର ଉପରେ ନଜର ପକାଇବା ତେବେ ଜାନୁଆରୀ ୨୯ ସୁଦ୍ଧା ପାକିସ୍ତାନରେ ପେଟ୍ରୋଲ ଦର ବୃଦ୍ଧି ହୋଇ ୨୪୯.୮୦ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ଲିଟର ପିଛା ୨୬୨.୮୦ ଟଙ୍କାକୁ ବୃଦ୍ଧି ପାଇଥିଲା । ଏବେ ପୁଣି ପେଟ୍ରୋଲ-ଡିଜେଲ ଦର ବୃଦ୍ଧି କରାଯିବା ନେଇ ଘୋଷଣା କରାଯାଇଛି । ପ୍ରତି ଲିଟର ପିଛା ୨୨ଟଙ୍କା ୨୦ ପଇସା ବଢାଇବା ପାଇଁ ନିଷ୍ପତ୍ତି ହୋଇଛି । ଏହା ପରେ ଦେଶରେ ଲିଟର ପିଛା ପେଟ୍ରୋଲର ଦାମ୍ ୨୭୨ଟଙ୍କା ହୋଇଯିବ । ସେହିପରି ଡିଜେଲର ଦରକୁ ୧୭ଟଙ୍କା ୨୦ ପଇସା ବଢାଇବାକୁ ନିଷ୍ପତ୍ତି ହୋଇଛି ।