ଭଣ୍ଡାରିପୋଖରୀ (ଆମ ଟିଭି): ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଶନିବାର ଭଦ୍ରକ ଜିଲା ଗସ୍ତରେ ଆସି ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ପରିଦର୍ଶନ କରିଛନ୍ତି। ନିଜେ ବାଇକ୍ ଚଳାଇ ସେ ବିଭିନ୍ନ ନଦୀବନ୍ଧ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ବୁଝିଛନ୍ତି। ସେ ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦାଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ୫-ଟି ରୂପାନ୍ତରଣ, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଜରିଆରେ ଭଦ୍ରକ ଜିଲାର ବିକାଶକୁ ତ୍ୱରାନ୍ବିତ କରାଯାଉଥିବା ସେ କହିଥିଲେ। ବିରିଡ଼ି ରେଳଧାରଣାଠାରୁ ତିନିତର ଘାଟ ପର୍ଯ୍ୟନ୍ତ ବୈତରଣୀର ବାମପାଖ, କୋଚିଳାର ଉଭୟ ପାଖ ବନ୍ଧର ସୁଦୃଢ଼ୀକରଣ ଏବଂ ପକ୍କାରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ସେ ଘୋଷଣା କରିଥିଲେ। ଆଖୁଆପଦାଠାରୁ ତିନିତର ଘାଟ ପର୍ଯ୍ୟନ୍ତ ଏହି ବନ୍ଧ ସଶକ୍ତ ହେଲେ ବନ୍ୟାପ୍ରବଣ ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ବ୍ଲକରେ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ। ବନ୍ଧ ରାସ୍ତା ଦୃଢ ଓ ପ୍ରଶସ୍ତ ହେବା ଦ୍ୱାରା ଅଞ୍ଚଳବାସୀ ବିଶେଷ ଉପକୃତ ହେବେ। ବିରିଡ଼ିଠାରୁ ତିନିତର ଘାଟ ପର୍ଯ୍ୟନ୍ତ ପକ୍କାରାସ୍ତା ନିର୍ମାଣ ନିମନ୍ତେ ୯୬.୩୭ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଏହାଦ୍ୱାରା ୧୭ ପଞ୍ଚାୟତବାସୀ ଉପକୃତ ହେବେ। ଆନୁମାନିକ ୧ଲକ୍ଷ ୨୦ହଜାର ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ। ଆଖୁଆପଦାରୁ ତିନିତର ଘାଟ ପର୍ଯ୍ୟନ୍ତ ସଡ଼କ ପଥରେ ଯାତ୍ରା ଲାଗି ୩ଘଣ୍ଟାର ସମୟ ୨ଘଣ୍ଟାକୁ ହ୍ରାସ ପାଇବ। ଯାଜପୁର ମେଡିକାଲ କଲେଜ ଓ ବଜାର ଅଞ୍ଚଳକୁ ଯିବା ପାଇଁ ସହଜ ହେବ। ବିରିଡ଼ି ରେଳଧାରଣାଠାରୁ ତିନିତର ଘାଟ ପର୍ଯ୍ୟନ୍ତ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ୫୩.୮୭ କୋଟି ଟଙ୍କା ମଞ୍ଜୁର ହୋଇଥିବା ନେଇ ସେ ପ୍ରକାଶ କରି ଏହାଦ୍ୱାରା ବନ୍ୟା ନିୟନ୍ତ୍ରଣ ହେବା ସହ ବାମପାଖ ବନ୍ଧ ସୁଦୃଢ଼ ହେବ ବୋଲି କହିଥିଲେ। ୪୮୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ବୈତରଣୀ-ବୁଢ଼ା ଆନ୍ତଃନଦୀ ଜଳ ସଂରକ୍ଷଣ ପ୍ରକଳ୍ପ ଦ୍ବାରା ଉଭୟ ଭଦ୍ରକ ଓ ଯାଜପୁର ଜିଲାର ଲୋକେ ଉପକୃତ ହେବେ ବୋଲି ସେ ପ୍ରକାଶ କରିଥିଲେ। ଆଖୁଆପଦାଠାରେ ୫୦ ହଜାର ଏକର ଜମିରେ ଜଳସେଚନ ବ୍ୟବସ୍ଥା କରାଯାଇଛି। ଭଣ୍ଡାରିପୋଖରୀ ପାଇଁ ୭୨୦ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ୮ ମାସ ମଧ୍ୟରେ ୨୨୭ଟି ଦାବିରୁ ୧୯୦ଟି ପୂରଣ କରାଯାଇଛି। ୬୫୦ ଏକରରେ ମତ୍ସ୍ୟ ଚାଷ ପାଇଁ ଯୋଜନା ରହିଛି। କେନ୍ଦୁଆପଦା ଓଭରବ୍ରିଜ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ୨୦୧କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କୋଚିଳା ଆନ୍ତଃ ନଦୀ ଜଳ ସଂରକ୍ଷଣ ପ୍ରକଳ୍ପ ଦ୍ୱାରା ଭଦ୍ରକ ଓ ଯାଜପୁର ଜିଲାର ଲୋକେ ଉପକୃତ ହେବେ। ଏହାଦ୍ୱାରା ପ୍ରାୟ ୨ଲକ୍ଷ ଲୋକ ପାନୀୟ ଜଳ ସୁବିଧା ପାଇବେ। ଜଳଭଣ୍ଡାର ମତ୍ସ୍ୟ ସମ୍ପଦ ବିକାଶରେ ବିନିଯୋଗ ହୋଇପାରିବ। ବାଲିପୋଖରୀ, କଣ୍ଟି ଏସ୍କେପ ପରିଦର୍ଶନ କରିଥିଲେ।