ମୁକ୍ତିଲାଭ କଲା “ପରବ୍”, ବୃନ୍ଦାବନ ଟକିଜ୍, କଟକରେ ପ୍ରିମିଅର ଶୋ
ଭୁବନେଶ୍ୱର(ଆମ ଟିଭି): ବିନା ପରବରେ ମୁକ୍ତିଲାଭ କଲା “ପରବ୍” l ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ଫିଲ୍ମ ଦେଖିବାକୁ ହଲ୍ ରେ ସିନେପ୍ରେମୀଙ୍କ ଜମିଥିଲା ପ୍ରବଳ ଭିଡ଼ l ସିଦ୍ଧାନ୍ତ ଫାନ୍ସ ଙ୍କ ସମେତ ଓଲିଉଡ଼ର ଅନେକ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ ଏବଂ ସିନେ ସମୀକ୍ଷକ ଏକାଠି ବସି ପରବ୍ ଦେଖିଥିଲେ l ସିଦ୍ଧାନ୍ତଙ୍କ ଦମଦାର ସଂଳାପର ତାଳିରେ କମ୍ପିଥିଲା ପ୍ରେକ୍ଷାଳୟ l ତା’ସହିତ ପରବ୍ ଗୀତର ତାଳରେ ଝୁମିଥିଲେ ଦର୍ଶକ l
ଜେପି ମୋସନ ବ୍ୟାନର ତଥା ଯୁବ ପ୍ରଯୋଜକ ଦିପେନ୍ଦ୍ର ସାମଲଙ୍କର ପରବ୍ ଚଳଚ୍ଚିତ୍ର ହେଉଛି ଦ୍ଵିତୀୟ ଅବଦାନ l ଓଡିଶା ତଥା ଓଡିଶା ବାହାରେ ୫୨ଟି ସିନେମା ହଲ୍ ଏବଂ ୧୧୫ଟି ସ୍କ୍ରିନ୍ ରେ ଦର୍ଶକ ଦେଖିବାକୁ ପାଇବେ ପରବ୍ l ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ବରିଷ୍ଠ ଅଭିନେତ୍ରୀ ଅନୁ ଚୌଧୁରୀ, ଦୀପନ୍ୱିତ ଦାସ ମହାପାତ୍ର, ନାୟିକା ସୂର୍ଯ୍ୟମୟୀ ମହାପାତ୍ର ଏବଂ ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ କଳାକାରମାନେ ପରବ୍ ରେ ଅଭିନୟ କରିଛନ୍ତି l ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ ଦାସ l
ସବୁଠୁ ବଡ଼ କଥା ହେଲା ଓଡ଼ିଆ ଫିଲ୍ମ ପରବ୍ ସହିତ ଆହ୍ୱାନ ନାମକ ଏକ ସର୍ବଭାରତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଡି ହୋଇଛି l ବାଙ୍ଗାଲୋରରେ ଅବସ୍ଥାପିତ ଯୁବ ସମାଜସେବୀ ବ୍ରଜ କିଶୋର ପ୍ରଧାନ ଆହ୍ୱାନ ସ୍ବେଛାସେବୀ ଅନୁଷ୍ଠାନ ମାଧ୍ୟମରେ ସର୍ବଭାରତୀୟ ସ୍ତରରେ ସମାଜ ପାଇଁ ଅନେକ ଉନ୍ନତି ମୂଳକ କାମ କରିଥାନ୍ତି l ଶିକ୍ଷା କ୍ଷେତ୍ରଠୁ ଆରମ୍ଭ କରି ବିଭିନ୍ନ ଗାଁ କୁ ଆଦର୍ଶ ଗାଁ ରେ ପରିଣତ କରିବା l ବୃକ୍ଷ ରୋପଣ କରିବା ଇତ୍ୟାଦି କାମ କରିଥାନ୍ତି l ପରବ୍ ଚଳଚ୍ଚିତ୍ରରୁ ଯାହା ଅର୍ଥ ରାଶି ବକ୍ସ ଅଫିସରୁ ସଂଗ୍ରହ ହେବ ସେଥିରୁ କିଛି ଅଂଶ ଆହ୍ୱାନ ସ୍ବେଛାସେବୀ ଅନୁଷ୍ଠାନ ମାଧ୍ୟମରେ ସମାଜ ସେବା ପାଇଁ ଦାନ ସ୍ୱରୂପ ଦିଆଯିବ ବୋଲି ପ୍ରଯୋଜକ ଦିପେନ୍ଦ୍ର ସାମଲ ଘୋଷଣା କରିଛନ୍ତି l
ଓଡିଶା ଓ ଆନ୍ଧ୍ର ରାଜ୍ୟ ମଧ୍ୟରେ ପୂର୍ବରୁ କିପରି ବିବାଦ ରହିଥିଲା ଓ ରାଜ୍ୟବାସୀଙ୍କୁ କ’ଣ ସବୁ ସହିବାକୁ ପଡିଥିଲା ତାହା ହିଁ ପରବ୍ ର କାହାଣୀ l ଯାହା ଓଡିଶା ତଥା ଓଡିଶା ବାହାରେ ନିହାତି ସୁପରହିଟ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ମତ ଦେଇଛନ୍ତି l