ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ “ପରବ୍”
ଭୁବନେଶ୍ୱର (ଆମ ଟିଭି): ବିନା ପରବରେ ଆଜି ପୂର୍ଣ୍ଣପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ “ପରବ୍” l ଓଡିଶା ମାଟିର ବିଭିନ୍ନ ମୌଳିକ କାହାଣୀକୁ ନେଇ ଓଡ଼ିଆ ସିନେମା ନିର୍ମାଣର ଧାରା ବଦଳିବା ପରେ ପ୍ରେକ୍ଷାଳୟ ମୁହାଁ ହେଉଛନ୍ତି ଓଡ଼ିଆ ସିନେ ଦର୍ଶକ l ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଦମନ ଚଳଚ୍ଚିତ୍ର ତା’ର ଜ୍ୱଳନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ l ଦମନ ର ଅପୂର୍ବ ସଫଳତା ପରେ ଆହୁରି ପାଦେ ଆଗେଇଛନ୍ତି ଯୁବ ପ୍ରଯୋଜକ ଦିପେନ୍ଦ୍ର ସାମଲ l ଜେପି ମୋସନ ପିକ୍ଚର୍ସ ବ୍ୟାନରରେ ଯୁବ ପ୍ରଯୋଜକ ଦିପେନ୍ଦ୍ର ସାମଲଙ୍କର ଦ୍ଵିତୀୟ ଅବଦାନ “ପରବ୍” ଆଜି ପୂର୍ଣ୍ଣପ୍ରେକ୍ଷାଳୟରେ ୩ଟି ଭାଷା ଓଡ଼ିଆ, ହିନ୍ଦୀ ଏବେ ତେଲୁଗୁରେ ମୁକ୍ତିଲାଭ କରିବ l
ଓଡିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ ଦମନର ଅଭିନେତା ଦୀପନ୍ୱିତ ଦାସ ମହାପାତ୍ର, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ବରିଷ୍ଠ ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାସ ଙ୍କ ସମେତ ଆହୁରି ଅନେକ ନାମୀ କଳାକାର ପରବ୍ ରେ ଅଭିନୟ କରିଛନ୍ତି l ପରବ୍ ସହିତ ଆହ୍ୱାନ ନାମକ ଏକ ସର୍ବଭାରତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଡି ହୋଇଛି l ବାଙ୍ଗାଲୋରରେ ଅବସ୍ଥାପିତ ବ୍ରଜ କିଶୋର ପ୍ରଧାନ ଯିଏ କି ଜଣେ ଯୁବ ସମାଜସେବୀ ଆହ୍ୱାନ ଅନୁଷ୍ଠାନ ମାଧ୍ୟମରେ ସମାଜ ପାଇଁ ଅନେକ ଉନ୍ନତି ମୂଳକ କାମ କରିଥାନ୍ତି l ଶିକ୍ଷା କ୍ଷେତ୍ରଠୁ ଆରମ୍ଭ କରି ବିଭିନ୍ନ ଗାଁ କୁ ଆଦର୍ଶ ଗାଁ ରେ ପରିଣତ କରିବା l ବୃକ୍ଷ ରୋପଣ କରିବା ଇତ୍ୟାଦି କାମ କରିଥାନ୍ତି l ପରବ୍ ଚଳଚ୍ଚିତ୍ରରୁ ଯାହା କିଛି ରାଶି ବକ୍ସ ଅଫିସରୁ ସଂଗ୍ରହ ହେବ ସେଥିରୁ କିଛି ଅଂଶ ଆହ୍ୱାନ ମାଧ୍ୟମରେ ସମାଜ ସେବା ପାଇଁ ଦାନ ସ୍ୱରୂପ ଦିଆଯିବ ବୋଲି ପ୍ରଯୋଜକ ଦିପେନ୍ଦ୍ର ସାମଲ ଘୋଷଣା କରିଛନ୍ତି l
ତେବେ ଗତକାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ପରବ୍ ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ପ୍ରଯୋଜକ ଦିପେନ୍ଦ୍ର ସାମଲ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଓଡ଼ିଆ ସିନେପ୍ରେମୀଙ୍କୁ ପରବ୍ ଚଳଚ୍ଚିତ୍ର ଦେଖିବାକୁ ନିବେଦନ କରିଥିଲେ l ତା’ସହିତ ବିଭିନ୍ନ ଗଣମାଧ୍ୟମର କର୍ମକର୍ତ୍ତାମାନଙ୍କ ନିମନ୍ତେ ଶ୍ରୀୟା ସିନେମା ହଲ୍ ରେ ଏକ ସ୍ପେସିଆଲ ସ୍କ୍ରିନିଂ ହୋଇଥିଲା l ସ୍କ୍ରିନିଂ ପରେ ପରବ୍ ଟିମ୍ ତରଫରୁ ଗଣମାଧ୍ୟମକୁ ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ସଠିକ ଭାବରେ କରିବା ପାଇଁ ଅନୁରୋଧ କରିଥିଲେ l ତେବେ ପରବ୍ ର କାହାଣୀ ଏପରି ଯାହା ଓଡିଶା ତଥା ଓଡିଶା ବାହାରେ ନିହାତି ସୁପରହିଟ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ମତ ଦେଇଛନ୍ତି l