ଭୁବନେଶ୍ବର (ଆମ ଟିଭି): ଉଠିଯିବ କ୍ୟାପିଟାଲ ହସ୍ପିଟାଲ। ରାଜଧାନୀରେ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ବଢ଼ୁଥିବା ଲୋକସଂଖ୍ୟା ଓ ସଂପ୍ରସାରିତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସରକାର କ୍ୟାପିଟାଲ ହସ୍ପିଟାଲ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା କରୁଛନ୍ତି। ଚନ୍ଦ୍ରଶେଖରପୁର-ପଟିଆ ଅଞ୍ଚଳକୁ ସହର ବଢ଼ୁଥିବାରୁ କ୍ୟାପିଟାଲ ହସ୍ପିଟାଲ ସେ ଅଞ୍ଚଳରେ ସ୍ଥାପନ କରାଯିବ। କେବଳ ସେତିକି ନୁହେଁ, ହସ୍ପିଟାଲର ଶଯ୍ୟା ସଂଖ୍ୟା ୪ଗୁଣା ବୃଦ୍ଧି ପାଇବ। ପଟିଆ-ଚନ୍ଦ୍ରଶେଖରପୁର-ଗାଡ଼କଣ ଅଞ୍ଚଳରେ ୩୫ ଏକର ଜାଗା ଯୋଗାଇଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ କୁହାଯାଇଛି।
ଯଦି ଏହା ଫଳପ୍ରଦ ହୁଏ ତାହାଲେ ଭୁବନେଶ୍ବରରେ ସରକାରୀ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି। ୟୁନିଟ୍-୬ ଅଞ୍ଚଳରେ ଆରମ୍ଭରୁ ରହିଛି କ୍ୟାପିଟାଲ ହସ୍ପିଟାଲ୍। ଏହି ଅଞ୍ଚଳ ଉଚ୍ଚ ସୁରକ୍ଷା ବଳୟ ଭିତରେ ରହିଛି। ବିମାନବନ୍ଦର, ସଚିବାଳୟ, ବିଧାନସଭା, ଭିଆଇପି କ୍ବାର୍ଟର୍ସ, ଓୟୁଏଟି ଆଦି ଲାଗି ହସ୍ପିଟାଲକୁ ସଂଯୋଗ କରୁଥିବା ରାସ୍ତା ସବୁବେଳେ ଜାମ୍ ରହୁଛି। ଆଗାକୁ ଯଦି କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମିକୁ ବଢ଼ାଯାଏ, ତେବେ ଏହି ଅଞ୍ଚଳରେ ଟ୍ରାଫିକ୍ କ୍ଷେତ୍ରରେ ଏକ ବିରାଟ ସମସ୍ୟା ସୃଷ୍ଟି ହେବ। ଏ ଦୃଷ୍ଟିରୁ କ୍ୟାପିଟାଲ ହସ୍ପିଟାଲ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଉପରେ ସରକାର ବିଚାର କରିଛନ୍ତି।