ଭୁବନେଶ୍ୱର (ଆମ ଟିଭି): ଆପଣ ଜାତୀୟ ରାଜପଥରେ ଗାଡ଼ି ଚଲାଉଛନ୍ତି କି? ତାହେଲେ ଅପଣଙ୍କ ପାଇଁ ଏହି ଖବର ନିହାତି ଗୁରୁତ୍ୱପୂର୍ଣ୍ଣ । ଗାଡି ମାଲିକଙ୍କ ପାଇଁ ପୁଣି ଏକ ଝଟକା ଦେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ନିମୟ ମୁତାବକ ଏବେ ଜାତୀୟ ରାଜପଥରେ ଗାଡି ଚଳାଇବା ମହଙ୍ଗା ହୋଇଛି । ଜାତୀୟ ରାଜପଥରେ ଯାତ୍ରା କରୁଥିଲେ ଏବେ ପୂର୍ବ ଅପେକ୍ଷା ଆପଣଙ୍କୁ ଅଧିକ ୫ପ୍ରତିଶତ ଟୋଲ ଟ୍ୟାକ୍ସ ଦେବାକୁ ପଡିବ । ପୂର୍ବରୁ ଜାତୀୟ ରାଜପଥରେ ଥିବା ଟୋଲ ଗୁଡିକ କିଲୋମିଟର ପ୍ରତି ୧ଟଙ୍କା ୩୬ ପଇସା ଆଦାୟ କରୁଥିବା ବେଳେ ନୂଆ ନିୟମ ମୁତାବକ ଆଜିଠାରୁ କିଲୋମିଟର ପ୍ରତି ୧ଟଙ୍କା ୪୩ ପଇସା ଟୋଲ ଟ୍ୟାକ୍ସ ଆଦାୟ କରାଯିବ । ସେହିପରି ଭାରି ଯାନ ଗୁଡିକ ଟୋଲ ଟ୍ୟାକ୍ସ ବାବଦରେ ପୂର୍ବ ଅପେକ୍ଷା ଅଧିକ ୪୦ ଟଙ୍କା ପଇଠ କରିବେ । ୨୦୨୧-୨୨ ଆର୍ଥିକ ବର୍ଷରେ ଟୋଲ ଟ୍ୟାକ୍ସ ମୂଲ୍ୟ ୮ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି ।
ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏନଏଚଆଇ ତରଫରୁ ସାରା ଦେଶରେ ଟୋଲ ଟ୍ୟାକ୍ସ ମୂଲ୍ୟ ବୃଦ୍ଧି କରାଯାଇଛି । ନୂଆ ନିୟମ ମୁତାବକ ଏବେ ସବୁ ବର୍ଗର ଗାଡି ଉପରେ ଏପ୍ରିଲ ପହିଲା ଅର୍ଥାତ ଆଜି ଠାରୁ ଅଧିକ ଟ୍ୟାକ୍ସ ଦେବାକୁ ପଡିବ । ଜାତୀୟ ରାଜପଥ ଶୁଳ୍କ ନିୟମ ୨୦୦୮ ମୁତାବକ ସରକାର ପ୍ରତିବର୍ଷ ଟୋଲ ଟ୍ୟାକ୍ସ ମୂଲ୍ୟ ପରିବର୍ତ୍ତନ କରିଥାନ୍ତି । ଯାହା କି, ହୋଲସେଲ ମୂଲ୍ୟ ସୂଚକାଙ୍କ ବା ମୁଦ୍ରାସ୍ପିତି ଦେଖି ନିର୍ଦ୍ଧାରଣ କରାଯାଇଥାଏ ।