ନୂଆଦିଲ୍ଲୀ (ଆମ ଟିଭି): ଲୋକଙ୍କୁ ଚିନ୍ତାରେ ପକାଇଛି ଅହେତୁକ ଦରଦାମ୍ ବୃଦ୍ଧି ।ଏହାରି ଭିତରେ ସବୁଠାରୁ ଅଧିକ ଚିନ୍ତାର ବିଷୟ ହେଉଛି ପେଟ୍ରୋଲ ଓ ଡିଜେଲର ଦାମ । ସାରା ଦେଶରେ ଏବେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୧୦୦ଟଙ୍କାରୁ ଅଧିକ ରହିଛି । ବିରୋଧୀଦଳମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିବା ବେଳେ ଏହା ସରକାରଙ୍କ ଅଧିନ ନୁହେଁ ବୋଲି ସଫେଇ ଦେଉଛନ୍ତି ସରକାର । ସେପଟେ ଦୀର୍ଘଦିନ ହେବ ପେଟ୍ରୋଲିୟମକୁ ଜିଏସଟି ଅଧିନକୁ ଆଣିବାକୁ ଦାବି ହେଉଥିବା ବେଳେ ଏହା ଉପରେ ବୟାନ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ କହିଛନ୍ତି କି ଯଦି ସବୁ ରାଜ୍ୟର ସରକାରମାନେ ସହମତି ପ୍ରକାଶ କରନ୍ତି ତେବେ ପେଟ୍ରୋଲିୟମକୁ ଜିଏସଟି ଅନ୍ତର୍ଭୁକ୍ତ କରାଯାଇପାରେ ।
ସେପଟେ ଅର୍ଥମନ୍ତ୍ରୀ କହିଛନ୍ତି କି କିଛିବର୍ଷ ହେବ ସରକାର ଦେଶର ଆର୍ଥିକ ବୃଦ୍ଧି କରିବାକୁ ପ୍ରୟାସ କରିବା ସହ ସାଧାରଣ ଲୋକଙ୍କ ବ୍ୟୟବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଉଦ୍ୟୋଗ ମଣ୍ଡଳ ପିଏଚଡି ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀଜର ସଦସ୍ୟଙ୍କ ସହ ବଜେଟ ବୈଠକ ପରେ ଅର୍ଥମନ୍ତ୍ରୀ ଏକ ବୈଠକ କରିଥିଲେ । ଏଥିରେ ସେ କହିଛନ୍ତି କି, ପେଟ୍ରୋଲିୟମକୁ ଜିଏସଟି ଅଧିନକୁ ଆଣିବା ନେଇ ନିୟମ ରହିଛି । ହେଲେ ଏନେଇ ପ୍ରଥମେ ସମସ୍ତ ରାଜ୍ୟସରକାରଙ୍କ ସହମତି ଆବଶ୍ୟକ ।